ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡିହେବ ଆଉ 13 ନବଗଠିତ ଜିଲ୍ଲା

ଆନ୍ଧ୍ରପ୍ରଦେଶ : ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ପାଇଁ ଏକ ବଡ଼ ଦିନ । ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡିହେବ ଆଉ 13 ନବଗଠିତ ଜିଲ୍ଲା । ସରକାରୀ ଭାବେ ଏହି ନୂତନ ଜିଲ୍ଲାଗୁଡିକ ରାଜ୍ୟ ରାଜସ୍ବ ମାନଚିତ୍ରରେ ଆତ୍ମପ୍ରକାଶ କରିବେ । ଏନେଇ ଆନ୍ଧ୍ରପ୍ରଦେଶ ସରକାର ଏକ ଗେଜେଟ ନୋଟିଫିକେସନ ଜାରି କରି ସୂଚୀତ କରିଛନ୍ତି । ଏହି 13 ନୂତନ ଜିଲ୍ଲାକୁ ମିଶାଇ ରାଜ୍ୟରେ ମୋଟ ଜିଲ୍ଲା ସଂଖ୍ୟା 26କୁ ବୃଦ୍ଧି ପାଇବାକୁୁ ଯାଉଛି ।

ନୂତନ ଜିଲ୍ଲା ଗଠନ ହେବା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଶେଷ କରିଛନ୍ତି ଜଗନ ସରକାର । ନବଗଠିତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଭାବେ ଦାୟିତ୍ବ ନେବା ପାଇଁ IAS ଓ IPS ସ୍ତରରେ ଅଦଳବଦଳ ମଧ୍ୟ କରାଯାଇଛି । ଜିଲ୍ଲା ଓ୍ବାରୀ ଜିଲ୍ଲାପାଳ ଓ ଏସପି ପଦବୀ ପାଇଁ ଅଧିକାରୀ ଚୟନ ମଧ୍ୟ ଚୂଡାନ୍ତ ହୋଇଛି । ଜିଲ୍ଲା ମୁଖ୍ୟାଳୟରେ ସୋମବାର ଏହି ଅଧିକାରୀମାନେ ଦାୟିତ୍ବ ଗ୍ରହଣ କରିବେ ।

ପ୍ରଶାସନିକ ସୁବିଧା କାରଣରୁ ନୂତନ ଜିଲ୍ଲା ଗଠନ ନେଇ ଚଳିତମାସ ଜାନୁଆରୀରୁ ପ୍ରକ୍ରିୟା ଆରମ୍ଭ କରିଥିଲେ ଆନ୍ଧ୍ର ସରକାର । ଜଗନ ମୋହନ ରେଡ୍ଡୀ କ୍ଷମତାକୁ ଆସିବା ପୂର୍ବରୁୁ ତାଙ୍କ ଦଳ ସରକାର ଗଠନ କଲେ ପ୍ରତ୍ୟେକ ଜିଲ୍ଲାକୁ ସଂସଦୀୟ କ୍ଷେତ୍ରର ମାନ୍ୟତା ମିଳିବା ନେଇ ମଧ୍ୟ ଘୋଷଣା କରିଥିଲେ । ବର୍ତ୍ତମାନ ରାଜ୍ୟରେ 25 ସଂସଦୀୟ ଆସନ ରହିଛି । ଏକାଧିକ ରାଜଧାନୀ ମଧ୍ୟ ଗଠନ କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ତାହା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି । ତେବେ ଦୀର୍ଘଦିନ ଧରି ଲାଗି ରହିଥିବା ପ୍ରକ୍ରିୟା ପରେ 13ନୂଆ ଜିଲ୍ଲା ଗଠନ କରିଛନ୍ତି ଆନ୍ଧ୍ର ସରକାର । ଯାହା ଆସନ୍ତାକାଲି ଔପଚାରିକ ଭାବେ ଆନ୍ଧ୍ର ମାନଚିତ୍ରରେ ସ୍ଥାନ ପାଇବ ।

Related Posts