ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଲସ୍କର-ଏ-ତୋଏବାର 4 ସହଯୋଗୀ ଗିରଫ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ଲସ୍କର-ଏ-ତୋଏବାର 4 ଜଣ ସହଯୋଗୀ ଙ୍କୁ ଗିରଫ କରିଛି ସୁରକ୍ଷା ବାହିନୀ । ବିଭିନ୍ନ ଅଞ୍ଚଳରୁ ଚଢାଉ କରି ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି। ବାନ୍ଦିପୋରା ପୁଲିସ ଦୁଇଟି ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାଶ କରି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଚାରି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ ଅଭିଯୁକ୍ତମାନେ ଜିଲ୍ଲାରେ ଆତଙ୍କବାଦୀଙ୍କ ପାଇଁ ଲଜିଷ୍ଟିକ୍‌ ଏବଂ ପରିବହନ ସମନ୍ଵୟ ରକ୍ଷା କରୁଥିଲେ।

ନିର୍ଦ୍ଦିିଷ୍ଟ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ବାନ୍ଦିପୋରାର ଆଷ୍ଟଙ୍ଗୋ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ପାଇଥିଲେ। ଏହି ତିନିଜଣଙ୍କ ନାମ ଇରଫାନ ଅହମ୍ମଦ ଭଟ୍ଟ, ସଜାଦ ଅହମ୍ମଦ ମୀର ଏବଂ ଇରଫାନ ଅହମ୍ମଦ ଜାନ ବୋଲି ଚିହ୍ନଟ କରାଯାଇଛି।

ଅନ୍ୟ ଏକ ଘଟଣାରେ ଏହି ସମୟରେ ସୁରକ୍ଷା ବାହିନୀ ଯବାନମାନେ ରଖହାଜିନର ଏକ ଚେକପୋଷ୍ଟରେ ଜଣେ ଆତଙ୍କବାଦୀ ସହଯୋଗୀକୁ ଗିରଫ କରିଥିଲେ। ଗିରଫ ଆତଙ୍କବାଦୀ ସହଯୋଗୀ ଜଣକ ଇରଫାନ ଅଜିଜ ଭଟ୍ଟ ବୋଲି ଚିହ୍ନଟ କରାଯାଇଥିଲା। ତା ନିକଟରୁ ଏକ ଚାଇନା ନିର୍ମିତ ଗ୍ରେନେଡ୍‌ ମଧ୍ୟ ଉଦ୍ଧାର କରାଯାଇଥିଲା।

ଅଜିଜ୍‌ ଭଟ୍ଟ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଉମର ଲାଲା ଏବଂ ହାଜିନ୍‌, ସଲିମ୍‌ ପାରେର ସହ ଯୋଗାଯୋଗରେ ଥିବା ଅଭିଯୋଗ ହୋଇଛି। ପାକିସ୍ତାନରେ ଥିବା ସହଯୋଗୀ ସହ ମିଶି ଅଜିଜ୍‌ ଭଟ୍ଟ ହାଜିନ୍‌ ଅଞ୍ଚଳରେ ଏକ ଆତଙ୍କବାଦୀ ହାମ୍‌ଲା ଘଟାଇବାକୁ ଯୋଜନା କରୁଥିବା ତଦନ୍ତରୁ ଜଣାପଡ଼ିଛି।

Related Posts