ଅଜୟ ଭାଦୁଙ୍କୁ ଉପ ନିର୍ବାଚନ କମିଶନର ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଉପ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଅଜୟ ଭାଦୁ । ଏହାପୂର୍ବରୁ ୨୦୧୯ରେ ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହୋଇଥିଲେ ଗୁଜରାଟ IAS କ୍ୟାଡର ଅଧିକାରୀ ଅଜୟ ଭାଦୁ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାପରେ ନିଜ ସେବାରୁ ମୁକ୍ତ ହୋଇଥିଲେ ଅଜୟ ଭାଦୁ ।
ଏହାପରେ ମଧ୍ୟ ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଦୁଇ ମାସ ଧରି କାର୍ଯ୍ୟ କରିଥିଲେ ।

ବର୍ତ୍ତମାନ ତାଙ୍କୁ କେନ୍ଦ୍ର ସରକାର ଜାୟୀତ ନିର୍ବାଚନ କମିଶନରେ ଉପ ନିର୍ବାଚନ କମିଶନର ଭଳି ଦାୟିତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଛନ୍ତି । ୧୯୯୯ ବ୍ୟାଚ୍‌ର IAS ଅଧିକାରୀ ହେଉଛନ୍ତି ଅଜୟ ଭାଦୁ । ସୁରଟରେ ସହକାରୀ ଜିଲ୍ଲାପାଳ ଭାବରେ ନିଜ ପ୍ରଶାସନିକ ଅଧିକାରୀ କ୍ୟାରିଅର ଆରମ୍ଭ କରିଥିଲେ ଅଜୟ ଭାଦୁ । ଗତ ୨୨ ବର୍ଷ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ଅଜୟ ଭାଦୁ ।ଗୁଜରାଟର ଭାରୁଚ ଜିଲ୍ଲା ବିକାଶ ଅଧିକାରୀ ଦାୟିତ୍ବରେ ଥିବା ବେଳେ ବାୟୋମେଟ୍ରିକ ଉପାସ୍ଥାନ ସିଷ୍ଟମ୍‌ ପ୍ରସ୍ତାବ ସେ ପ୍ରଥମେ ଦେଇଥିଲେ । ଏହାପରେ ଦେଶ ବିଭିନ୍ନ ସ୍ଥାନରେ ଏଭଳି ଉପାସ୍ଥାନ ସିଷ୍ଟମକୁ ଆପଣାଗଲା । ଏଥିପାଇଁ ବିଭିନ୍ନ ମଞ୍ଚରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଗୁଜରାଟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ବରେ ରହି ସେ ସର୍ବଶ୍ରେଷ୍ଠ ଜିଲ୍ଲାପାଳ ସମ୍ମାନ ପାଇଥିଲେ ।

ମେହସାନା ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ବରେ ଥିବାବେଳେ, ସେ ଜଳ ସଂରକ୍ଷଣ, ଜମି ରେକର୍ଡର ଡଜିଟାଇଜେସନ, ଅନଲାଇନ୍‌ ଫାଇଲ୍‌ ଟ୍ରାକିଂ ଓ ଆଧୁନିକ ତରିକାରେ ମଧ୍ୟାହ୍ନ ଭୋଜନ ଭଳି ପଦକ୍ଷେପ ନେଇଥିଲେ । ଖାଲି ସେତିକି ନୁହେଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବରେ ମଧ୍ୟ ଅଜୟ ଭାଦୁ କାର୍ଯ୍ୟ କରିଛନ୍ତି । ୨୦୦୮ ଓ ୨୦୧୧ରେ ତାଙ୍କୁ ଦୁଇଥର ସର୍ବଶ୍ରେଷ୍ଠ ଜିଲ୍ଲାପାଳ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Related Posts