ଗେହଲଟଙ୍କ ସମର୍ଥକ ଚାହୁଁଛନ୍ତି, ଅକ୍ଟୋବର ୧୯ ପର୍ଯ୍ୟନ୍ତ ସ୍ଥଗିତ ରହୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା: ଅଜୟ ମାକେନ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକେନ୍‌ । ସେ କହିଛନ୍ତି ଯେ, ଗେହଲଟଙ୍କ ସମର୍ଥକ ମାନେ ଚାହୁଁଛନ୍ତି କି ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ସ୍ଥଗିତ ରଖାଯାଉ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ବିଷୟରେ ଦଳର ଅଧ୍ୟକ୍ଷଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ଥିବାରୁ ସ୍ବାର୍ଥଜନିତ ବିବାଦ ସୃଷ୍ଟି ହେଉଥିବା ପରି ମନେ ହେଉଛି। ମାକେନ୍‌ ଦର୍ଶାଇଛନ୍ତି ଯେ, ଦଳର ଅଧ୍ୟକ୍ଷ ନିର୍ବାଚନରେ ଗେହ୍‌ଲଟ୍‌ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବାରୁ, ହୁଏ ତ ସେ ନିର୍ବାଚନ ଜିଣି ଅକ୍ଟୋବର ୧୯ ବେଳକୁ କଂଗ୍ରେସର ମୁଖ୍ୟ ହୋଇଯାଇଥାଇ ପାରନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ବିଷୟରେ ବିଧି ଅନୁଯାୟୀ ଆମେ ଜଣ ଜଣ କରି ବିଧାୟକମାନଙ୍କ ସହିତ କଥାବାର୍ତ୍ତା କରିବୁ। ଯାହାଦ୍ବାରା, ସେମାନେ ଅବାଧରେ ସେମାନଙ୍କ ଇଚ୍ଛା ବ୍ୟକ୍ତ କରିପାରି‌ବେ। ଗେହ୍‌ଲଟ୍‌ ନିଜ ସୁବିଧା ଅନୁସାରେ ଧାର୍ଯ୍ୟ କରିଥିବା ‘କଂଗ୍ରେସ ବିଧାୟକ ଦଳ’ ବୈଠକରେ ବିଧାୟକମାନେ ଯୋଗ ନ ଦେବା ଆଶ୍ଚର୍ଯ୍ୟର କଥା ବୋଲି ସେ କହିଛନ୍ତି।

ଅନ୍ୟପଟେ ରାଜସ୍ଥାନରେ ଏଭଳି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ସଚିନ ପାଇଲଟ୍‌ କହିଛନ୍ତି ଯେ, ମୁଁ ଜୟପୁରରେ ଅଛି। ଏପର୍ଯ୍ୟନ୍ତ ଦିଲ୍ଲୀ ଯାଇନାହିଁ। ପ୍ରଥମେ ହାଇକମାଣ୍ଡ୍‌ ଯାହା କରିବା କଥା କରନ୍ତୁ, ଏହାପରେ ମୁଁ ତାଙ୍କୁ ଭେଟିବି।

ସୂଚନାଯୋଗ୍ୟ, ରବିବାର ଦିନ ଗେହ୍‌ଲଟ୍‌ ଗୋଷ୍ଠୀର ବିଧାୟକ ମାନେ କହିଥିଲେ ଯେ, ୨୦୨୦ରେ ଗେହ୍‌ଲଟ୍‌ଙ୍କ ବିରୋଧରେ ବିଦ୍ରୋହ କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଟଲ୍‌ଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବ ଗ୍ରହଣୀୟ ନୁହେଁ।

Related Posts