
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ନେଇ ଦୁଃଖ ପ୍ରକାଶ କରାଯାଇଛି । କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି ଆଜାଦ୍ ଦଳ ଛାଡିବା ଏକ ଦୁଃଖର କଥା ।ଏହା ସହ ସେ କହିଛନ୍ତି କି, ଯେତେବେଳେ କଂଗ୍ରେସ ଦେଶରେ ଦରବୃଦ୍ଧି, ବେରୋଜଗାରୀ ଭଳି ସମସ୍ୟା ସହ ସମସ୍ତ ଶକ୍ତି ଖଟାଇ ଲଢୁଛି ସେତେବେଳେ ଗୁଲାମନବୀଙ୍କ ଭଳି ନେତା ଦଳ ଛାଡିବା ଏକ ପରିତାପର ବିଷୟ ।
ସୂଚନା ଥାଉକି, ଆଜି ସକାଳେ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଦଳରୁ ଇସ୍ତଫା ଦେଇଛନ୍ତି । ସେ ୫ ପୃଷ୍ଟାର ଏକ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ଏହି ଇସ୍ତଫା ପତ୍ରରେ ଆଜାଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଆଜାଦ । ରାହୁଲ ଏବେ ଅନୁଭବହୀନ ଲୋକଙ୍କ ଗହଣରେ ସମୟ କାଟୁଛନ୍ତି । ଏପରିକି ଦଳରେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଛି । କିଛି ସାଂଘାତିକ ଅଭିଯୋଗ ଆଣିବା ସହ କଂଗ୍ରେସର ହାତ ଛାଡିଛନ୍ତି ଗୁଲାମନବୀ । କାଶ୍ମୀର ରାଜନୀତିରେ କଂଗ୍ରେସର ବଡ ଚେହେରା ଥିଲେ ଗୁଲାମନବୀ । ଏପରିକି ଜାତୀୟ ରାଜନୀତିରେ ମଧ୍ୟ ଗୁଲାମନବୀଙ୍କର ଦବଦବା ଯଥେଷ୍ଟ ଅଧିକ ଥିଲା । ଅନେକଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରହିଥିବା ଗୁଲାମ ପୂର୍ବରୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ତେବେ ଦୀର୍ଘ ଦିନ ହେବ କଂଗ୍ରେସରୁ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଥିଲେ ଗୁଲାମ । ତେବେ କଂଗ୍ରେସ ପକ୍ଷରୁ ଗୁଲାମଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ଫଳପ୍ରସୁ ହୋଇନଥିଲା । ଆଉ ଶେଷରେ କଂଗ୍ରେସର ହାତ ଛାଡିବାକୁ ବାଧ୍ୟ ହୋଇଥିଲେ ଗୁଲାମନବୀ ।