ଦିଲ୍ଲୀ ହିଂସା: ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା ବୈଠକ କଲେ ଅଜିତ ଡୋଭାଲ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ୪ ଦିନ ହେବ ହିଂସାରେ ଜଣେ ମୁଖ୍ୟ କନଷ୍ଟେବଳଙ୍କ ସମେତ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ହିଂସା ପ୍ରଭାବିତ ଅଞ୍ଚଳରେ ପୋଲିସକୁ ଏବେ ଦଙ୍ଗା ସୃଷ୍ଟି କରୁଥିବା ଲୋକଙ୍କ ଉପରକୁ ଗୁଳିମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତି ଦେଖିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ମଙ୍ଗଳବାର ବିଳମ୍ବିତ ରାତି ହିଂସା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ସେ ଗାଡ଼ିରେ ସୀଲମପୁର, ଭଜନପୁରା, ମୌଜପୁର, ଯମୁନା ବିହାର ଭଳି ହିଂସା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ।

ଡୋଭାଲ ରାତି ପାଖାପାଖି ୧୧ଟାରେ ସୀଲମପୁରସ୍ଥିତ ଉତ୍ତର-ପୂର୍ବ ଦିଲ୍ଲୀର ଡିସିପି (ଡେପୁଟି କମିଶନର ଅଫ ପୋଲିସ) କାର୍ଯ୍ୟାଳୟ ପହଞ୍ଚି ବୈଠକରେ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ କରିଛନ୍ତି । ପାଖାପାଖି ଏକ ଘଣ୍ଟା ଯାଏଁ ବୈଠକ ଚାଲିଥିଲା । ଏଥିରେ ଡିସିପି (ଉତ୍ତର-ପୂର୍ବ), ସ୍ପେଶାଲ ପୋଲିସ କମିଶନ (ଲ ଆଣ୍ଡ ଅର୍ଡର) ଏସଏନ ଶ୍ରୀବାସ୍ତବ ଓ ଦ୍ୱିତୀୟ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।

ବୈଠକ ପରେ ଏନଏସଏ ଡୋଭାଲ ହିଂସା ପ୍ରଭାବିତ କ୍ଷେତ୍ର ଗସ୍ତ କରିଥିଲେ । ବିଳମ୍ବିତ ରାତି ତାଙ୍କର ଗାଡ଼ି ସୀଲମପୁର, ଭଜନପୁରା, ଯମୁନା ବିହାର ଭଳି ହିଂସାଗ୍ରସ୍ତ ଅଞ୍ଚଳରେ ବୁଲୁଥିଲା । ପରିସ୍ଥିତି ପରଖିବା ପରେ ସେ ଫେରିଯାଇଥିଲେ ।

ଦିଲ୍ଲୀ ପୋଲିସର ସ୍ପେଶାଲ କମିଶନର (କ୍ରାଇମ) ସତୀଶ ଗୋଲଚା କହିଛନ୍ତି, ପ୍ରଦର୍ଶନକାରୀମାନେ ଜାଫରାବାଦ ମେଟ୍ରୋ ଷ୍ଟେସନ ଓ ମୌଜପୁର ଛକକୁ ଖାଲି କରିଥିଲେ ।

Related Posts