ଜେଲରୁ ନିର୍ବାଚନ ଜିତିଲେ ଅଖିଲ ଗୋଗେଇ : ସିଏଏକୁ ବିରୋଧ କରି ହୋଇଥିଲେ ଗିରଫ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସାମ ବିଧାନସଭା ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କଲେ ଆରଟିଆଇ କର୍ମୀ ତଥା ପ୍ରମୁଖ କୃଷକ ନେତା ଅଖିଲ ଗୋଗୋଇ । ସେ ଜେଲ୍‌ରେ ରହି ମଧ୍ୟ ଆସାମ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଏବଂ ବିଜୟୀ ମଧ୍ୟ ହୋଇଛନ୍ତି। ଶିବସାଗର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ଅଖିଲ ଗୋଗେଇ । ତାଙ୍କ ବିରୋଧରେ ଥିଲେ କ୍ଷମତାସୀନ ବିଜେପିର ସୁରଭି ରାଜକନୱାରୀ । ତେବେ ଉଲ୍ଲେଖନୀୟ କଥା ହେଉଛି ସୁରଭିଙ୍କ ବିଜୟ ପାଇଁ ବିଜେପିର ବହୁ ହେଭିୱେଟ୍ ନେତା ଏମତିକି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭୋଟ୍ ମାଗିଥିଲେ । କଂଗ୍ରେସର ଗଡ କୁହାଯାଉଥିବା ଏହି ଆସନରେ ଅଖିଲ ଗୋଗୋଇଙ୍କୁ ୫୭ ହଜାର ୧୭୩ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସୁରଭିଙ୍କୁ ୪୫ ହଜାର ୩୯୪ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ଶୁଭମିତ୍ର ଗୋଗୋଇଙ୍କୁ ୧୯ ହଜାର ୩୨୩ ଭୋଟ୍ ମିଳିଛି । ୨୦୧୯ ମସିହାରେ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ହୋଇଥିବା ହିଂସକ ପ୍ରଦର୍ଶନରେ ଅଖିଲ ଗୋଗୋଇଙ୍କୁ ଗିରଫ କରାଯାଇଥିଲା । କିଛି ଦିନ ପୂର୍ବେ ସେ କରୋନା ପଜିଟିଭ ଚିହ୍ନଟ ହେବାରୁ ତାଙ୍କୁ ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲର ଏକ ସେଲରେ ରଖାଯାଇ ଚିକିତ୍ସା କରାଯାଇଥିଲା । ମାଓବାଦୀଙ୍କ ସହ ସଂପର୍କ ଥିବା ଅଭିଯୋଗରେ ୨୦୧୯ ଡିସେମ୍ବରରେ ତାଙ୍କୁ ଗିରଫଦାରୀ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏ ଗୋଗୋଇଙ୍କୁ ହେପାଜତକୁ ନେଇଥିଲା । ନିର୍ବାଚନର କିଛିଦିନ ପୂର୍ବରୁ କୃଷକ ମୁକ୍ତି ସଂଗ୍ରାମ ସମିତି-କେଏମଏସଏସରେ ଅଖିଲ ଗୋଗେଇଙ୍କ ସହ ଯୋଗୀମାନେ “ରାଇଜର” ନାମରେ ଏକ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲର ଆଇସୋଲେଟେଡ୍ ୱାର୍ଡରୁ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ନିର୍ବାଚନରେ ସେ ଗୋଟିଏ ଦିନ ବି ପ୍ରଚାର ନକରି ବାଜିମାତ୍ କରିଛନ୍ତି । ଗୋଗୋଇଙ୍କ ବିଜୟ ପରେ ଶିବସାଗର ନିର୍ବାଚମମଣ୍ଡଳୀର ଲୋକମାନେ ଖୁସି ପ୍ରକଟ କରିଛନ୍ତି । ଗୋଗୋଇଙ୍କ ବିଜୟକୁ ଗଣତନ୍ତ୍ରର ବିଜୟ ବୋଲି ସେମାନେ କହିଛନ୍ତି । ସେ ଦୁର୍ନୀତି ବିରୋଧୀ ଲଢେଇ ସହ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରିଆସିଛନ୍ତି ।

Related Posts