ନିର୍ବାଚନୀ ସଭା-ମଞ୍ଚରେ ଏକତ୍ର ନଜର ଆସିଲେ ଅଖିଳେଶ ଯାଦବ ଓ ଶିବପାଲ୍‌ ଯାଦବ

ଲକ୍ଷ୍ନୌ: ଗୋଟିଏ ନିର୍ବାଚନୀ ସଭା-ମଞ୍ଚରେ ଏକତ୍ର ନଜର ଆସିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଓ ତାଙ୍କ ଚାଚା ଶିବପାଲ୍‌ ଯାଦବ । ଦୀର୍ଘ ୬ ବର୍ଷ ପରେ ରବିବାର ଦିନ ପ୍ରଥମ ଥର ପାଇଁ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ଯୋଗୁଁ ଖାଲି ପଡ଼ିଥିବା ମୈନ୍‌ପୁରୀ ଆସନ ପାଇଁ ଡିସେମ୍ବର ୫ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଦଳ ଓ ପରିବାରର ମର୍ଯ୍ୟାଦା ରକ୍ଷା କରିବା ଲାଗି ଉଭୟ ମିଳିତ ଭାବେ ପ୍ରଚାର ଚଳାଇଛନ୍ତି।

ସୂଚନାଯୋଗ୍ୟ, ମୈନ୍‌ପୁରୀ ଉପନିର୍ବାଚନରେ ଅଖିଳେଶଙ୍କ ପତ୍ନୀ ତଥା ମୁଲାୟମ ଓ ଶିବପାଲ୍‌ଙ୍କ ବୋହୂ ଡିମ୍ପଲ୍‌ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଉଭୟ ଡିମ୍ପଲ୍‌ଙ୍କ ପ୍ରାର୍ଥୀତ୍ବ ସମର୍ଥନ କରି କହିଥିଲେ। ଏଥିସହ ଶିବପାଲ୍‌ କହିଥିଲେ ଯେ, ଅଖିଳେଶ ହେଉଛନ୍ତି ମୁଲାୟମ୍‌ଙ୍କ ଆଦର୍ଶର ବାହକ। ଅଖିଳେଶ ମଧ୍ୟ ଚାଚା ଶିବପାଲ୍‌ଙ୍କୁ ପ୍ରଶଂସା କରି କହିଥିଲେ ଯେ, ଚାଚାଙ୍କ ସହିତ ତାଙ୍କର କେବଳ ରାଜନୈତିକ ମତଭେଦ ଥିଲା। କିନ୍ତୁ, ଏବେ ଆଉ ସେ ମ‌ତଭେଦ ନାହିଁ।

ରବିବାର ଅପରାହ୍ଣରେ ଅଖିଳେଶ ସଭାସ୍ଥଳରେ ପହଞ୍ଚିବା ମାତ୍ରେ ଶିବପାଲଙ୍କ ପୁଅ ଆଦିତ୍ୟ ତାଙ୍କୁ ସ୍ବାଗତ କରିବା ସହିତ ତାଙ୍କ ଚରଣ ସ୍ପର୍ଶ କରିଥିଲେ। ତା’ପରେ ଶିବପାଲ ଫୁଲତ‌ୋଡ଼ା ଦେଇ ଅଖିଳେଶଙ୍କୁ ପାଛୋଟି ନେଲାବେଳେ ସେ (ଅଖିଳେଶ) ମଥାନତ କରି ଚାଚାଙ୍କ ଆଶିଷ ଭିକ୍ଷା କରିଥିଲେ।

ଉଦ୍‌ବୋଧନ ଦେବା ବେଳେ ଅଖିଳେଶ କହିଥିଲେ, ଦାଦି ଓ ପୁତୁରାଙ୍କ ଭିତରେ ମନୋମାଳିନ୍ୟ ନ ଥିଲା। ଥିଲା ରାଜନୈତିକ ମତଭେଦ। ଆଜି ସେ ମତଭେଦର ପରିସମାପ୍ତି ଘଟିଥିବାରୁ ମୁଁ ଆନନ୍ଦିତ ଓ କୃତଜ୍ଞ ମଧ୍ୟ।

Related Posts