ମଉଳିଲା ସବୁ ଆଶା : ଜିଏସ୍‌ଟିରେ ସାମିଲ ହେଲାନି ପେଟ୍ରୋଲ ଓ ଡିଜେଲ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବର୍ତ୍ତମାନ ପାଇଁ ଜିଏସଟି ସାମିଲ ହେବନି ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମଜାତ ସାମଗ୍ରୀ। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଜିଏସଟି କାଉନସିଲର ୪୫ତମ ବୈଠକରେ ଏହି ପ୍ରସ୍ତାବକୁ ରାଜ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏପରିକି ଏହି ପ୍ରସ୍ତାବ ଉପରେ ଆଲୋଚନା ଲାଗି ରାଜି ବି ହୋଇନଥିଲେ। ଦେଶରେ ଏବେ ତେଲ ଦର ସେଞ୍ଚୁରୀ ପାର କଲାଣି। ତେବେ ପେଟ୍ରୋଲିୟମଜାତ ସାମଗ୍ରୀକୁ ଜିଏସଟି ଅନ୍ତର୍ଭୁକ୍ତ କରାଯିବ ଦ୍ୱାରା ଦର ନିୟନ୍ତ୍ରଣ ସମ୍ଭବ ହେବ ବୋଲି ଆଶା କରାଯାଉଛି। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟିରେ ସାମିଲ ହେବ । କିନ୍ତୁ ବର୍ତ୍ତମାନ ପାଇଁ ଜିଏସଟିରେ ସାମିଲ ହେବ ନାହିଁ ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମଜାତ ସାମଗ୍ରୀ। ଅର୍ଥାତ୍ ସାଧାରଣ ଲୋକମାନେ ପୂର୍ବଭଳି ୧୦୦ରୁ ଅଧିକ ଟଙ୍କାରେ ପେଟ୍ରୋଲ ଓ ପ୍ରାୟ ୧୦୦ ଟଙ୍କା ଦେଇ ଡିଜେଲ କିଣିବେ। ଯଦି ଏହା ଜିଏସ୍‌ଟି ପରିସର ଭୁକ୍ତ ହୋଇଥାଆନ୍ତା, ତା’ହେଲେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୫ ଟଙ୍କା ଓ ଡିଜେଲ ଲିଟର ପିଛା ୨୦ ଟଙ୍କା ଶସ୍ତା ହୋଇଥାଆନ୍ତା ବୋଲି ଚର୍ଚ୍ଚା ହେଉଥିଲା । ସାଧାରଣ ଲୋକ ଉପକୃତ ହୋଇଥାଆନ୍ତେ। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ନିଜର ରାଜସ୍ୱ ସଂଗ୍ରହରେ କ୍ଷତି ସହିଥାଆନ୍ତେ।ପେଟ୍ରୋଲ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ଉତ୍ପାଦନ ଶୁଳ୍କ ବାବଦକୁ ବିପୁଳ ଟ୍ୟାକ୍ସ ପାଉଛନ୍ତି। କରୋନା ଲଢେଇ ପାଇଁ ଅଧିକ ଅର୍ଥ ଦରକାର ହେଉଥିବାରୁ ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲିୟମ ଜାତ ପଦାର୍ଥକୁ ଜିଏସଟି ତାଲିକାଭୁକ୍ତ କରାଯିବାର ପ୍ରଶ୍ନ ଉଠୁନଥିବା ରାଜ୍ୟମାନେ କେନ୍ଦ୍ରକୁ କହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବ ନା ନାହିଁ ଜିଏସଟି କାଉନସିଲ ବୈଠକରେ ସ୍ଥିର କରିବାକୁ ଗତ ଜୁନ ମାସରେ ନିର୍ଦ୍ଦେଶ ଦେଇଥିଲେ କେରଳ ହାଇକୋର୍ଟ। ତେବେ ବାୟୟୋ ଡିଜେଲକୁ ୧୨% ଟିକସ ସ୍ଲାବରୁ ୫% ସ୍ଲାବକୁ ହ୍ରାସ କରାଯାଇଥିବା ନେଇ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

Related Posts