
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶ ସରକାରରେ ମତ୍ସ୍ୟ ମନ୍ତ୍ରୀ ତଥା ନିଶାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଶାଦ ମସଜିଦ ସଂପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ନିଶାଦ କହିଛନ୍ତି ଯେ, ଦେଶର ମନ୍ଦିର ଗୁଡ଼ିକ ନିକଟରେ ଅବସ୍ଥିତ ସମସ୍ତ ମସଜିଦ ହଟାଇଦେବା ଉଚିତ। ନିକଟରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ସମୟରେ ନିଶାଦ କହିଛନ୍ତି ଯେ, ଭାରତରେ ଏବେ ଧାର୍ମିକ ଉତ୍ତେଜନା ବ୍ୟାପିଛି। ଯେଉଁଭଳି ଅଯୋଧ୍ୟା ରାମ ମନ୍ଦିର ନିକଟରୁ ମସଜିଦକୁ ହଟାଇ ଦିଆଯାଇଛି ସେହିଭଳି ଦେଶର ଅନ୍ୟ ମନ୍ଦିର ଗୁଡିକ ନିକଟରେ ନିର୍ମିତ ସମସ୍ତ ମସଜିଦ ହଟାଯିବା ଉଚିତ। ଉତ୍ତରପ୍ରଦେଶରେ ଥିବା ମଦ୍ରାସା ଉପରେ ହୋଇଥିବା ସର୍ଭେକୁ ନେଇ ନିଶାଦ କହିଛନ୍ତି ଯେ, ଆତଙ୍କବାଦ ସହ ମଦ୍ରାସା ଗୁଡ଼ିକର ସମ୍ପର୍କ ସାମ୍ନାକୁ ଆସିଛି ଏବଂ ଅନେକ ଥର ଆତଙ୍କବାଦୀମାନେ ମଧ୍ୟ ମଦ୍ରାସାରୁ ଧରାପଡିଛନ୍ତି, ତେଣୁ ମୁସଲିମ ଧାର୍ମିକ ନେତାମାନେ ମଦ୍ରାସା ଉପରେ ଦାଗ ଧୋଇବା ପାଇଁ ମଦ୍ରାସା ସର୍ଭେକୁ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି।
ବିରୋଧୀ ମାନଙ୍କ ଉପରେ ନିଶାଦ ଅଭିଯୋଗ କରି କହିଛନ୍ତି ଯେ, ପୂର୍ବରୁ ବିରୋଧୀମାନେ ମୌଲାନା ମାନଙ୍କ ସହ ମିଶି ଧାର୍ମିକ ହିଂସା ବିସ୍ତାର କରିଥିଲେ ଏବଂ ଦଙ୍ଗା ସୃଷ୍ଟି କରୁଥିଲେ। କିନ୍ତୁ ରାଜ୍ୟରେ ଯୋଗୀ ସରକାର ଏବଂ କେନ୍ଦ୍ରରେ ମୋଦୀ ସରକାର ଏହି ଦଙ୍ଗା ବନ୍ଦ କରି ଦେଇଛନ୍ତି। ମୌଲାନା ମାନଙ୍କ ଉପରେ ଏକ ବିବାଦୀୟ ବିବୃତ୍ତି ଦେଇ ସେ କହିଛନ୍ତି ଯେ, ମୌଲାନା ଦେଶରେ ଦାରିଦ୍ର୍ୟ ବୃଦ୍ଧି କରିଛି ଏବଂ ମୁସଲମାନ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ସେ କହିଛନ୍ତି ଯେ ମୌଲାନା ମାନେ ଚାହୁଁ ନାହାଁନ୍ତି ଯେ ମୁସଲମାନ ପିଲାମାନେ ଶିକ୍ଷିତ ଓ ସଚେତନ ହୁଅନ୍ତୁ।