ଇଣ୍ଟରନେଟ୍ ସେବା ବନ୍ଦ ନେଇ ଜମ୍ମୁକଶ୍ମୀର ପଛକୁ ଏହି ସବୁ ରାଜ୍ୟ

ଜୟପୁର: ବିରୋଧ ପ୍ରଦର୍ଶନ, ହିଂସା ଘଟଣା ପରେ ଇଣ୍ଟରନେଟ୍ ସେବା ବନ୍ଦ ହେବା ଏକ ସାଧାରଣ କଥା ପଲଟିଯାଇଛି । ସ୍ଥିତି ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ପ୍ରଶାସନ ଏହିପରି ପଦକ୍ଷେପ ମାନ ଗ୍ରହଣ କରୁଛି । ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲ ହତ୍ୟା ମାମଲା ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜସ୍ଥାନର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଗତ ୬ ଦିନ ପାଇଁ ବନ୍ଦ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜମ୍ମୁକଶ୍ମୀରରେ ଇଣ୍ଟରନେଟ୍ ବନ୍ଦ ହେବାର ଖବର ଆସୁଥିଲା।

ଆଉ ଏବେ କହ୍ନେୟାଙ୍କ ହତ୍ୟା ପରେ ଲୋକମାନେ ଅନେକ ସ୍ଥାନରେ ବିରୋଧ କରିଥିଲେ ଏବଂ ଜନସାଧାରଣଙ୍କ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଥିଲା। ଏହି ଘଟଣା ପରେ ରାଜସ୍ଥାନର ସମସ୍ତ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଥିଲା ଏବଂ ଉଦୟପୁରରେ ପ୍ରଥମ ଥର ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ପରେ ସମଗ୍ର ରାଜ୍ୟରେ ଇଣ୍ଟରନେଟ୍ ବନ୍ଦ ହୋଇଯାଇଥିଲା। ତେବେ ବର୍ତ୍ତମାନ କେବଳ ଜୟପୁର ଏବଂ ଉଦୟପୁରରେ ଇଣ୍ଟରନେଟ ବନ୍ଦ ରହିଛି।

ଯଦିଓ ଦେଶରେ ଏହା ନୂଆ ନୁହେଁ, କିନ୍ତୁ ବିଭିନ୍ନ ରିପୋର୍ଟ ଅନୁଯାୟୀ ଜମ୍ମୁକଶ୍ମୀର ପରେ ରାଜସ୍ଥାନ ଇଣ୍ଟରନେଟ୍ ସଟଡାଉନ ହଟସ୍ପଟ୍ ପାଲଟିଛି। ନିକଟରେ ରାଜସ୍ଥାନରେ ୮୮ ଥର ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଜୟପୁର ସହରରେ ଇଣ୍ଟରନେଟ୍ ବନ୍ଦ ସର୍ବାଧିକ ୧୮ ଥର ହୋଇଥିବାବେଳେ ସିକର ଦ୍ୱିତୀୟ ନମ୍ବରରେ ଏବଂ ଉଦୟପୁର ତୃତୀୟ ସ୍ଥାନରେ ରହିଛି | ୨୦୧୨ ଠାରୁ ଜମ୍ମୁକଶ୍ମୀରରେ ୪୧୧ ଥର ଇଣ୍ଟରନେଟ୍ ସେବା ବନ୍ଦ ରହିଛି।

ଏହି ଅନୁଯାୟୀ ଜମ୍ମୁକଶ୍ମୀର ପରେ ରାଜସ୍ଥାନ ଦେଶର ଦ୍ୱିତୀୟ ସ୍ଥାନ ହୋଇଥିବାବେଳେ ଏହି ତଥ୍ୟ ଇଣ୍ଟରନେଟ୍ ସଟଡାଉନ୍.ଇନ୍ ରୁ ନିଆଯାଇଛି | ଟେକ୍ନୋଲୋଜି, ଆଇନ ଏବଂ ନୀତି ଉପରେ କାର୍ଯ୍ୟ କରୁଥିବା ଏହା ହେଉଛି ପ୍ରଥମ ଭାରତୀୟ ପ୍ରତିଷ୍ଠାନ। ରାଜସ୍ଥାନ ପରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରହିଛି। ନିକଟରେ ଉତ୍ତରପ୍ରଦେଶରେ ୩୦ ଥର, ପଶ୍ଚିମବଙ୍ଗରେ ୧୬ ଥର ଏବଂ ବିହାର, ମହାରାଷ୍ଟ୍ରରେ ୧୨-୧୨ ଥର ଇଣ୍ଟରନେଟ୍ ବନ୍ଦ ରଖାଯାଇଛି ।

Related Posts