ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ: ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ବଜେଟ ଅଧିବେଶନର ଅବ୍ୟାହତି ପୂର୍ବରୁ ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ।

ଆସନ୍ତାକାଲି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଚଳିତ ବର୍ଷର ବଜେଟ ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ୧୮ ତାରିଖରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ଚଳିତ ବର୍ଷ ବଜେଟ୍ ଆକାର ଦେଢ଼ ଲକ୍ଷ କୋଟି ଟପିବ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ରଣନୀତି ପ୍ରସ୍ତୁତ ପାଇଁ ଆଜି ବିଜୁ ଜନତା ଦଳ ମଧ୍ୟ ତା ବିଧାୟକ ଦଳ ବୈଠକ ଡାକିଛି । ପୃଥକ ପୃଥକ ଭାବେ ବିଜେପି ଏବଂ କଂଗ୍ରେସ ବିଧାୟକ ଦଳର ମଧ୍ୟ ବୈଠକ ବସିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପୂରା ଯୋଜନା ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍କା ଘର ଯୋଜନା ଓ ଓବିସି ଗଣନାକୁ ନେଇ ବିଜେପି ବିଧାନସଭାରେ ରାଜ୍ୟସରକାରଙ୍କୁ ଘେରିପାରେ । ସେପଟେ କଂଗ୍ରେସ ରେଳ ବଜେଟରେ ରାଜ୍ୟ ପ୍ରତି ହୋଇଥିବା ଅବହେଳା ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ ବୋଲି କହିଛି ।

Related Posts