କରୋନା ମୁକାବିଲା ପାଇଁ ୧୭ରେ ସର୍ବଦଳୀୟ ବୈଠକ : ବିରୋଧୀଙ୍କ ସହ ଆଲୋଚନା ପାଇଁ ଦାବି କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସଙ୍ଗୀନ ହେଉଛି କୋଭିଡ୍ ସ୍ଥିତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢୁଛି। ଏହାକୁ ଦୃଷ୍ଟିରେ ରଖି ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ର ଦ୍ଵିତୀୟ ଲହର ସହ ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଦ୍ବିତୀୟ ଓ ତୃତୀୟ ଲହରୀ ପାଇଁ ସରକାର କ’ଣ ପ୍ରସ୍ତୁତ କରିଛନ୍ତି ସେନେଇ ବୈଠକରେ ଆଲୋଚନା ହେବ ବୋଲି ନରସିଂହ ମିଶ୍ର କହିଛନ୍ତି । ତେବେ ଆସନ୍ତା ୧୭ ତାରିଖ ଅର୍ଥାତ୍ ସୋମବାର ଦିନ ବିଧାନସଭାର ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ବସିବ । ଏହି ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ସବୁ ବିଧାୟକ ଉପସ୍ଥିତ ରହିବେ । ଯଦି କୌଣସି ବିଧାୟକ ବୈଠକ ପାଇଁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷକୁ ଆସି ନ ପାରିବେ ତେବେ ସେମାନେ ନିଜ ଜିଲ୍ଲା କିମ୍ବା ନିର୍ବାଚନ ମଣ୍ଡଳୀରୁ ଭିଡିଓ କନଫରେନ୍ସ ଜରିଆରେ ଯୋଡି ହୋଇ ପାରିବେ। ବିଧାୟକ ମାନେ ଏହି ବୈଠକରେ ନିଜ ଅଞ୍ଚଳର କୋଭିଡ ସ୍ଥିତି, ଅମ୍ଳଜାନ ସଙ୍କଟ, ମେଡିସିନ, ଡାକ୍ତର ଓ ନର୍ସ ଆଦି ପ୍ରସଙ୍ଗରେ ଆଲୋଚନା କରିପାରିବେ। ସୂଚନାଯୋଗ୍ୟ ଯେ, କଟକଣା ସତ୍ତ୍ୱେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୨,୩୯୦ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ୧୬ ଜିଲ୍ଲାରୁ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩ରେ ପହଞ୍ଚିଛି।

Related Posts