କୋଣାର୍କ-ଭୁବନେଶ୍ୱର ଓ କାକଟପୁର-ଭୁବନେଶ୍ୱରକୁ ମୋ ବସ୍ ସେବା ସହ ସମସ୍ତ ଯାତ୍ରୀବାହୀ ବସ୍ ସେବା ବନ୍ଦ

କୋଣାର୍କ : କୋଣାର୍କ-ଭୁବନେଶ୍ୱର ଓ କାକଟପୁର-ଭୁବନେଶ୍ୱରକୁ ମୋ ବସ୍ ସେବା ସହ ସମସ୍ତ ଯାତ୍ରୀବାହୀ ବସ୍ ସେବା ବନ୍ଦ । କୋଣାର୍କ ଓ ନିମାପଡା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ ରଖିବା ସହ ମୋ ବସକୁ ବସ୍‌ଷ୍ଟାଣ୍ଡରେ ଅଟକ ରଖାଯାଇଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀମାନେ ।

ବସ୍‌ ସଂଘ ଅଭିଯୋଗ ଅନୁସାରେ, ଦୀର୍ଘ ଦୁଇ ବର୍ଷ ହେଲା ୬ଟି ମୋ ବସ୍‌ ପର୍ଯ୍ୟାୟ କ୍ରମେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ କୋଣାର୍କ ଆସୁଛି। ତାର ଗୋଟିଏରୁ ୨ ମିନିଟ୍‌ ବ୍ୟବଧାନରେ ଘରୋଇ ବସ୍‌ ଗୁଡ଼ିକ ଭୁବନେଶ୍ୱରରୁ କୋଣାର୍କ ଆସୁଛି।

ଅଧିକ ସଂଖ୍ୟାରେ ଯାତ୍ରୀମାନେ ମୋ ବସ୍‌ରେ ଯିବା ଆସିବା କରୁଛନ୍ତି। ଘରୋଇ ବସ୍‌ରେ ଅଳ୍ପ ସଂଖ୍ୟକ ଯାତ୍ରୀ ଯାତାୟତ କରୁଛନ୍ତି। ଫଳରେ ଘରୋଇ ବସ୍‌ ମାଲିକ, ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଏହାର ପ୍ରତିବାଦରେ କୋଣାର୍କ ଓ ନିମାପଡ଼ା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କୋଣାର୍କ-ଭୁବନେଶ୍ୱର ଓ କାକାଟପୁର-ଭୁବନେଶ୍ୱର ରୁଟ୍‌ରେ ସମସ୍ତ ଘରୋଇ ବସ୍ ସେବା ବନ୍ଦ ରଖାଯାଇଛି। ଏଥିସହ ସଂଘ ପକ୍ଷରୁ କୋଣାର୍କକୁ ଆସୁଥିବା ମୋ ବସକୁ କୋଣାର୍କ ବସଷ୍ଟାଣ୍ଡରେ ଅଟକ ରଖାଯାଇଛି। ଫଳରେ କୋଣାର୍କରୁ ଭୁବନେଶ୍ୱର ଓ କାକଟପୁରରୁ ଭୁବନେଶ୍ୱର ଯାତାୟତ ପ୍ରଭାବିତ ହୋଇଛି।

Related Posts