ଧାମନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ; କାଲି ପଡ଼ିବ ଭୋଟ, ୧୨୬ଟି ବୁଥରେ ହେବ ୱେବକାଷ୍ଟିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ଧାମନଗର ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍। ଗତକାଲି ଠାରୁ ପ୍ରଚାର ଶେଷ ହୋଇଥିବା ବେଳେ ବର୍ତ୍ତମାନ ଭୋଟ ଗ୍ରହଣ ପାଇଁ ପ୍ରାୟ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଇଭିଏମ୍, ଭିଭିପାଟ୍ ସହ ଅନ୍ୟ ସାମଗ୍ରୀ ନେଇ ପୋଲିଂ ପାର୍ଟି ବୁଥରେ ପହଞ୍ଚିଛନ୍ତି। ଗତକାଲି ୨୧୮ଟି ବୁଥକୁ ପୋଲିଂ ପାର୍ଟି ଚାଲି ଯାଇଥିବା ବେଳେ ଆଜି ୩୪ଟି ବୁଥକୁ ପୋଲିଂ ପାର୍ଟି ଯିବେ। ୨୫୨ ବୁଥ ପାଇଁ ୩୦ ଜଣ ସେକ୍ଟର ଅଫିସର ଓ ୧୧ ଜଣ ଜୋନାଲ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ୧୨୬ଟି ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି।

ସେହିପରି ମୋଟ ୧୧୦ଟି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ ଓ ୫୦ଟି ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ସେହିଭଳି ୫ଟି ବୁଥ କୁ ପିଙ୍କ୍ ବୁଥ ଭାବେ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । ଆସନ୍ତାକାଲି ସକାଳ ୭ରୁ ଭୋଟଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୂରା ନିର୍ବାଚନ ମଣ୍ଡଳୀକୁ ତିନୋଟି ଜୋନରେ ବିଭକ୍ତ କରାଯାଇ ୨୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସମେତ ୪ କମ୍ପାନୀ ସିଏପିଏଫ୍ ନିଯୁକ୍ତ କରାଯାଇଛି । ଏହି ଉପନିର୍ବାଚନ ମୈଦାନରେ ଏଥର ୫ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ।

Related Posts