ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୋର୍ବୀ ଝୁଲାପୋଲ ଭାଙ୍ଗିବା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ତରଫରୁ ମାମଲା ନଲଢ଼ିବାକୁ କିଛି ବାର୍ ଆସୋସିଏସନ୍ ନିଷ୍ପତ୍ତି ଗ୍ରହଣ କରିଥିବା କଥା କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟରେ ପ୍ରକାଶ ପାଇଛି। ଓଭେରା କମ୍ପାନିର ୯ଜଣ ଅଭିଯୁକ୍ତଙ୍କ ପକ୍ଷରୁ ସେମାନଙ୍କର କୌଣସି ଓକିଲ ଲଢ଼ିବେ ନାହିଁ ବୋଲି ଉଭୟ ‘ମୋର୍ବୀ ବାର୍ ଆସୋସିଏସନ୍’ ଏବଂ ‘ରାଜକୋଟ୍ ବାର୍ ଆସୋସିଏସନ’ ରେ ପ୍ରସ୍ତାବନା ପାରିତ କରାଯାଇଥିବା କଥା ‘ମୋର୍ବୀ ବାର୍ ଆସୋସିଏସନ’ ର ବରିଷ୍ଠ ଆଇନଜୀବି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ କୁ କହିଛନ୍ତି।

ସର୍ବସାଧାରଣଙ୍କ ନିମନ୍ତେ ଖୋଲା ଯିବାର ଦିନ ଅଳ୍ପଦିନ ପରେ ପୋଲଟି ଭାଙ୍ଗିପଡ଼ିବାରୁ ଦୁର୍ଘଟଣା ପାଇଁ ଏହାକୁ ମରାମତି କରିଥିବା ଅହମଦାବାଦର ‘ଓଭେରା ଗ୍ରୁପ୍’ ଉପରେ ଦୋଷାରୋପ କରାଯାଉଛି।
ଅଧିକ ଜନସମାଗମ ପୋଲ ଭାଙ୍ଗିପଡ଼ିବାର ଅନ୍ୟତମ କାରଣ ହୋଇଥିଲେ ବି ଏବେ ଜଣାପଡ଼ିଛି ଯେ, ପୋଲର ମରାମତି କାର‌୍ୟ୍ୟ ଠିକ୍ ଭାବେ କରାଯାଇ ନ ଥିଲା। ମଙ୍ଗଳବାର ଦିନ ଅଦାଲତରେ ପ୍ରୋସିକ୍ୟୁସନ୍ କହିଥିଲେ କି, ପୋଲର ଚଟାଣ ମରାମତି କରାଯାଇଥିଲା, କିନ୍ତୁ କେବଲ୍ ମରାମତି କରାଯାଇ ନ ଥିଲା। ଫଳତଃ, ଚଟାଣା ଭାରରେ କେବଲ୍ ଛିଡ଼ି ପଡ଼ିଲା। ମରାମତି ପରେ ଚଟାଣ ଓଜନିଆ ହୋଇପଡ଼ିଥିବା ବେଳେ ଛଠ୍ପୂଜା ଅବସରରେ ଜନଗହଳି ଯୋଗୁଁ ପୋଲ ଆହୁରି ଭାରୀ ହୋଇ ଯାଇଥିଲା।

ମରାମତି କାମ ନିମନ୍ତେ ଗତ ପ୍ରାୟ ୮ ମାସ ହେବ ବନ୍ଦ ଥିବା ଉକ୍ତ ଝୁଲାପୋଲକୁ ‘ଓଭେରା ଗ୍ରୁପ’ର ପରିଚାଳନା ନିର୍ଦେଶକ ଜୟସୁଖ ପଟେଲ୍ ଅକ୍ଟୋବର ୨୬ ତାରିଖରେ ଖୋଲିଥିଲେ।