ନୂଆଦିଲ୍ଲୀ :ପଶ୍ଚିମବଙ୍ଗ ନ୍ୟାସନାଲ ୟୁନିଭର୍ସିଟି ଅଫ୍ ଜୁରିଡିକାଲ୍ ସାଇନ୍ସେସ୍ (ଏନ୍‌ୟୁଜେଏସ୍‌)ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ନ୍ୟାୟପାଳିକାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଅଳ୍ପ ସଂଖ୍ୟକ ଲୋକ ଦେଶର ସମସ୍ତ ଗଣତାନ୍ତ୍ରିକ ଶକ୍ତିଗୁଡିକୁ ନିଜ ଅକ୍ତିଆରରେ ରଖିଛନ୍ତି। ଏହି ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିଛି । ଏହା ଜାରି ରହିଲେ ଦେଶ ସଂସଦୀୟ ଗଣତନ୍ତ୍ର ପରିବର୍ତ୍ତେ ରା‌ଷ୍ଟ୍ରପତି କର୍ତ୍ତୃତ୍ବାଧୀନ ଗଣତନ୍ତ୍ରରେ ପରିଣତ ହେବାର ବିପଦ ରହିଛି।

ଏଥିସହ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ସ୍ବଳ୍ପକାଳୀନ କାର୍ଯ୍ୟକାଳକୁ ମମତା ପ୍ରଶଂସା କରିଛନ୍ତି। ସ୍ବଳ୍ପ କାର୍ଯ୍ୟକାଳ ମଧ୍ୟରେ ବିଚାରପତି ଲଳିତ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବାସ୍ତବ ନ୍ୟାୟପାଳିକା। ଏହାଦ୍ବାରା ସେ ନ୍ୟାୟପାଳିକା ଉପରେ ଥିବା ଲୋକଙ୍କ ଆସ୍ଥାକୁ ଅତୁଟ ରଖି ପାରିଛନ୍ତି। ବାସ୍ତବରେ ନ୍ୟାୟପାଳିକା ଏକ ଧର୍ମସ୍ଥଳ। ତେଣୁ ନ୍ୟାୟପାଳିକା ଲୋକଙ୍କ ବିଶ୍ବାସକୁ ଅତୁଟ ରଖିବା ଆବଶ୍ୟକ ବୋଲି ମମତା କହିଛନ୍ତି।

ଗଣମାଧ୍ୟମକୁ ସମାଲୋଚନା କରି ମମତା କହିଛନ୍ତି, ଦେଶରେ ଗଣମାଧ୍ୟମଗୁଡ଼ିକ ଅନେକ ପ୍ରସଙ୍ଗରେ ସମାନ୍ତରାଳ ବିଚାର ବ୍ୟବସ୍ଥା ଚଳାଉଛନ୍ତି। ଏହା ଅନୁଚିତ। ଗଣମାଧମ ନ୍ୟାୟପାଳିକାକୁ ବିଭ୍ରାନ୍ତ କରିପାରିବ ନାହିଁ। ଲୋକଙ୍କୁ ଅଯଥାରେ ହଇରାଣ ହରକତ କରି ଦେଶରେ ସଂଘୀୟ ଶାସନ ବ୍ୟବସ୍ଥାକୁ ନଷ୍ଟ ହେବାକୁ ଦିଆ ନଯାଉ ବୋଲି ମମତ‌ା କହିଛନ୍ତି।