ମୋରବି ଘଟଣାରୁ ଧ୍ୟାନ ହଟାଇବାକୁ ସୁକେଶଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଉଛି ବିଜେପି: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଭାରତୀୟ ଜନତା ପାର୍ଟି(ବିଜେପି) ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଯେ, ବିଜେପି ସବୁ ଭଲ କାମକୁ ଅଟକାଇବାକୁ ଚେଷ୍ଟା କରୁଛି । ଏବେ ବିଜେପିର ଟାର୍ଗେଟ ହେଉଛି ଦିଲ୍ଲୀରେ ପ୍ରଚଳିତ ମୋହଲ୍ଲା କ୍ଲିନକ ।

ବିଜେପିକୁ ଟାର୍ଗେଟ କରି କେଜରିୱାଲ କହିଛନ୍ତି ଯେ, କିଛି ଲୋକ ଶାସନର ଦୁରୁପଯୋଗ କରୁଛନ୍ତି। ଏହି ଲୋକମାନେ ଏକ ଷଡଯନ୍ତ୍ର କରି ଦିଲ୍ଲୀର ଯୋଗଶାଳାକୁ ବନ୍ଦ କରି ଦେଇଛନ୍ତି । ହେଲେ ମୁଁ ଯୋଗଶାଳକୁ ବନ୍ଦ ହେବାକୁ ଦେବି ନାହିଁ । ଯୋଗଶାଳାର ଶିକ୍ଷକଙ୍କୁ ଦରମା ଦେବାକୁ ମୁଁ ପଛେ ଭିକ ମାଗିବି କିନ୍ତୁ ଯୋଗଶାଳା ବନ୍ଦ ହେବାକୁ ଦେବି ନାହିଁ । କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ରାଜଧାନୀ ଦିଲ୍ଲୀର ସମସ୍ତ ସରକାରୀ ହସ୍ପିଟାଲ ଠିକ୍ କରାଯାଇଛି । ଦିଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଭଲ ହୋଇ ଯାଇଛି ହେଲେ ବିଜେପିର ଲୋକେ ଏକ ଷଡଯନ୍ତ୍ର କରି ଦିଲ୍ଲୀ ସରକାରଙ୍କ କାମକୁ ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି । ଏହାର ଜବାବ ଦିଲ୍ଲୀର ଜନତା ନିଶ୍ଚିତ ଦେବେ।

ସୁକେଶ ଚନ୍ଦ୍ରଶେଖର ଆମ ଆଦମୀ ପାର୍ଟି(ଆପ) ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୧୦ କୋଟି ଟଙ୍କା ଦେଇଥିବା ମିଛ କଥା ବୋଲି କେଜରିୱାଲ କହିଛନ୍ତି। ସତ୍ୟେନ୍ଦ୍ର ଜୈନଙ୍କ ସହ ସୁକେଶର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ଗୁଜୁରାଟର ମୋରବି ପୋଲ ଭାଙ୍ଗିବା ଘଟଣାରେ ଏକ ବଡ଼ ଦୁର୍ନୀତି ରହିଛି । ଏବେ ଏହି ଦୁର୍ନୀତି ସାମ୍ନାକୁ ଆସିବାର ସମ୍ଭାବନା ରହିଛି ତେଣୁ ବିଜେପି ମୋରବି ଘଟଣାରୁ ଧ୍ୟାନ ହଟାଇବାକୁ ସୁକେଶ ଚନ୍ଦ୍ରଶେଖରଙ୍କ କହାଣୀ କହୁଛି । ବିଜେପି ସୁକେଶ ଚନ୍ଦଶେଖରଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଇବାକୁ ଚେଷ୍ଟା କରୁଛି। ସମାନ ଭାବରେ ପଞ୍ଜାବ ନିର୍ବାଚନ ପୂର୍ବରୁ ଏମାନେ କୁମାର ବିଶ୍ୱାସଙ୍କୁ ସାମ୍ନାକୁ ନେଇ ଆସିଥିଲେ ବୋଲି କେଜ୍ରିୱାଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଆଜି ସୁକେଶ ଚନ୍ଦ୍ରଶେଖର ଏକ ବଡ ଅଭିଯୋଗ ଆଣିଥିଲା। ସତ୍ୟେନ୍ଦ୍ର ଜୈନ ତାକୁ ସୁରକ୍ଷା ଦେବାକୁ ୧୦ କୋଟି ଟଙ୍କା ନେଇଥିବା ସେ ସେ ଦିଲ୍ଲୀର ଉପ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ଜଣାଇଛି। ଏହାପରେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି।

Related Posts