ଅନୁଭବଙ୍କ ନାଁରେ ମହିଳାଙ୍କୁ ଦୁର୍ବ୍ୟବହାର ମାମଲା

ସତ୍ୟପାଠ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଅଭିଯୋଗ । ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ପୁରୀଘାଟ ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ । ତେବେ ମହିଳାଙ୍କ ଅଭିଯୋଗ ଓ ଅନୁଭବଙ୍କ କଥାରେ ତାଳମେଳ ରହୁ ନଥିବାରୁ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି ।

କଣ ଅଭିଯୋଗ …
ମହିଳାଙ୍କ ଅଭିଯୋଗ ହେଲା, ସେ ଅନୁଭବଙ୍କ ଘର ବାଟ ଦେଇ ସମାଜ ଅଫିସ ଯାଆନ୍ତି । ସେଠାରେ ସେ ସାମ୍ବାଦିକତା ଇଣ୍ଟର୍ଣ୍ଣସିପ୍ କରୁଥିଲେ । ତେବେ ଅନୁଭବଙ୍କ ଘର ପାଖାପାଖି ତାଙ୍କ ଭାଇ ଅନୁପ୍ରାସ ମହାନ୍ତି ସଂପୃକ୍ତା ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ । ଏହାକୁ ନେଇ ଥରେ ସେ ଅନୁପ୍ରାସଙ୍କ ସାଙ୍ଗଙ୍କୁ ପଚାରିଥିଲେ ବି ସେ ଏହାକୁ ଖଣ୍ଡନ କରିଥିଲେ । ତେବେ ଘଟଣା ସମ୍ପର୍କରେ ନିଜ ସ୍ୱାମୀଙ୍କୁ ଜଣାଇଥିଲେ ବି ଅନୁଭବଙ୍କ ଭଳି ପଲିଟିକାଲ ଲିଙ୍କ ଥିବା ଲୋକଙ୍କ ସହ ନ ଲାଗିବାକୁ ସ୍ୱାମୀ ପରାମର୍ଶ ଦେଇଥିବା ଅଭିଯୋଗକାରିଣୀ କହିଛନ୍ତି ।

ଦୁଇଦିନ ତଳେ ଘଟଣା ସମ୍ପର୍କରେ ଜଣାଇବାକୁ ମହିଳା ଜଣକ ଅନୁଭବଙ୍କ ଘରକୁ ଯାଇଥିଲେ । ଅନୁଭବଙ୍କ ଘରୁ କେହି ଜଣେ ସେଠାରେ ଅନୁଭବ ରହୁ ନଥିବା କହି ତାଙ୍କୁ ସେଠାରୁ ଚାଲିଯିବାକୁ କହିବା ସହ ଦୁର୍ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି । ତେବେ ଘର ସାମ୍ନାରେ ଛିଡା ହୋଇଥିବା ବେଳେ କିଛି ସମୟ ପରେ ଅନୁଭବ, ଈରା ମହାନ୍ତି ଓ କିଛି ବନ୍ଧୁ ଘରୁ ବାହାରକୁ ଆସିଥିଲେ । ସେହି ସମୟରେ ଝିପିଝିପି ବର୍ଷା ହେଉଥିବା ବେଳେ ମହିଳାଙ୍କୁ ଏକୁଟିଆ ଦେଖି କିଛି ସାହାଯ୍ୟ ଦରକାର ବୋଲି ଅନୁଭବ ପଚାରିଥିବା ସେ କହିଛନ୍ତି ।

ତେବେ ଅନୁପ୍ରାସ କିଭଳି ତାଙ୍କୁ ଇଙ୍ଗିତ କରୁଛନ୍ତି ତାହା ଜଣାଇବା ପରେ ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିବା ସହ ପୁଲିସ ଡକାଇ ତାଙ୍କୁ ସେଠାରୁ ତଡି ଦେଇଥିବା ମହିଳା ଜଣକ କହିଛନ୍ତି । ଏପରିକି ଥାନା ଜିପରେ ବସିଥିବା ବେଳେ ଅନୁଭବ ମହିଳାଙ୍କ ମୁହଁକୁ ଛେପ ପକାଇଥିବା ବି ସେ ଅଭିଯୋଗ କରିଛନ୍ତି । ଏ ତମାମ ଘଟଣା ସମୟରେ ସେଠାରେ ଅନୁଭବଙ୍କ ପତ୍ନୀ ବର୍ଷା ଓ ସାହିର କିଛି ଲୋକ ଉପସ୍ଥିତ ଥିବା ମହିଳା ସୂଚନା ଦେଇଛନ୍ତି ।

ଅନୁଭବଙ୍କ ପ୍ରତିକ୍ରିୟା…
ଥାନାରେ ଏତଲା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି । ଘଟଣାକୁ ଭିତ୍ତୀହୀନ ଓ ଅମୂଳକ ବୋଲି କହିଛନ୍ତି ଅନୁଭବ । ତେବେ ଦୁଇଦିନ ତଳେ ସଂପୃକ୍ତ ମହିଳା ତାଙ୍କ ଘରକୁ ଆସିଥିବା କଥା ସତ୍ୟ କିନ୍ତୁ ରାତି ସାଢ଼େ ଗୋଟାଏରେ ତାଙ୍କ ଘର ବାହାରେ ମହିଳା ଜଣକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଉତ୍ପାତ କରୁଥିବା ଅନୁଭବ କହିଛନ୍ତି । ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ଅନୁଭବ କହିଛନ୍ତି, ତାଙ୍କ ଭାଇ ସେ ମହିଳାଙ୍କୁ ଚିହ୍ନନ୍ତି ନାହିଁ କି ଜାଣନ୍ତି ନାହିଁ । ବରଂ ଘଟଣା ଦିନ ମହିଳା ଜଣକ ୨୦୦୮ରେ ତାଙ୍କ ସହ ଏପରି ଘଟିଥିବା କହିଥିଲେ । ରାତି ସାଢ଼େ ଗୋଟାଏରେ ଜଣେ ମହିଳାଙ୍କୁ ଏକୁଟିଆ ନଛାଡି ପୁଲିସକୁ ଡାକି ତାଙ୍କ ଘରକୁ ପଠାଇଥିଲି ଏବଂ ଏହା ମୋର ସଂସ୍କାର ଓ ମାନବିକତା ବୋଲି କହିଛନ୍ତି ଅନୁଭବ । ପୁଲିସର ତଦନ୍ତରେ କେହି ହସ୍ତକ୍ଷେପ କରିବେ ନାହିଁ ବରଂ ପୁଲିସ ନିଜ କର୍ତ୍ତବ୍ୟ କରି ସଠିକ କଥା ସାମ୍ନାକୁ ଆଣୁ ବୋଲି ଅନୁଭବ ଅପିଲ କରିଛନ୍ତି ।

ଯଦିଓ ଉଭୟଙ୍କ କଥାରେ ତାଳମେଳ ରହୁ ନାହିଁ । କିନ୍ତୁ ସେଦିନ ରାତିରେ ମହିଳା ଜଣକ ଅନୁଭବଙ୍କ ଘରକୁ ଯିବା ଓ ସେଠାରେ ଉଭୟଙ୍କ ଭେଟ ହୋଇ କଥା ହେବା ସତ୍ୟ ବୋଲି ଉଭୟଙ୍କ କଥାରୁ ବୁଝାପଡୁଛି । ଘଟଣାଦିନ ଅନୁପ୍ରାସ ପୁରୀଘାଟ ଥାନାରେ ଏନେଇ ଏକ ରିପୋର୍ଟ ବି ଦେଇଥିବାର ଅନୁଭବ ସୂଚନା ଦେଇଛନ୍ତି । ଯାହାକୁ ନେଇ ପୁଲିସ ଷ୍ଟେସନ ଡାଏରୀ ବି କରିଛି । ତେବେ ପୂର୍ବରୁ ପୁଲିସ ପାଖରେ ବିଲକୁଲ ଅଭିଯୋଗ କରି ନଥିବା ମହିଳା ଜଣକ ହଠାତ ଅନୁଭବଙ୍କ ଘରକୁ ଯିବା, ସେଠାରୁ ତାଙ୍କୁ ପୁଲିସ ଆଣିବା ଓ ଦୁଇଦିନ ପରେ ଅନୁଭବ, ଅନୁପ୍ରାସ ଓ ବର୍ଷାଙ୍କ ନାଁରେ ମହିଳା ଜଣକ ଏତଲା ଦେବା ଏକ ଗୋଲକ ଧନ୍ଦାରେ ଛନ୍ଦି ଦେଉଛି । ଏତଲା ଦାଏର ହୋଇଥିଲେ ବି ଏମାନଙ୍କୁ ଥାନାକୁ ପଚରାଉଚୁରା ପାଇଁ ଡାକଯିବ କି ନାହିଁ ତାହା ବି ଜଣାପଡିନି । ତେବେ ଘଟଣାରେ ସତ୍ୟତା ରହିଛି ନା ମହିଳାଙ୍କୁ ବ୍ୟବହାର କରି ଆଉ କେହି ରିମୋର୍ଟ ଧରୁଛି ତାହା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Related Posts