
ଶ୍ରୀନଗର: ହିଜାବକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା ଜୋର ଧରିଛି | ରାଜନୀତି ମଧ୍ୟ ହୋଇଛି | ହିଜାବ ପିନ୍ଧିବା ଜିଦ୍ରେ ଅନେକ ଛାତ୍ରୀ ପରୀକ୍ଷା ମଧ୍ୟ ଦେଇନାହାନ୍ତି | ତେବେ ଏହାରି ମଧ୍ୟରେ କଶ୍ମୀର ଘାଟିରେ ହିଜାବ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଘରୋଇ ସ୍କୁଲ ନିଜର ପ୍ରଥମ ଆଦେଶକୁ ସଂଶୋଧନ କରିଛି ।
ସ୍କୁଲ ଏବେ ଆଦେଶ ପରିବର୍ତ୍ତନ କରିଛି । କର୍ମଚାରୀଙ୍କୁ କହିଛି, ମୁହଁ ଲୁଚେଇ ହେଲା ଭଳି ହିଜାବ ନ ପିନ୍ଧନ୍ତୁ । ଏହା ପୂର୍ବରୁ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ଆଦେଶ ଦିଆଯାଇଥିଲା ଯେ, ହିଜାବରୁ ଶିକ୍ଷକମାନେ ଦୂରରେ ରୁହନ୍ତୁ । କିନ୍ତୁ ବିଦ୍ୟାଳୟର ଏହି ଆଦେଶ ଉପରେ ସ୍ଥାନୀୟ ରାଜନୈତିକ ନେତାମାନେ ଅମଙ୍ଗ ଦେଖାଯାଇଥିଲେ । ପରେ ସ୍କୁଲ ପକ୍ଷରୁ ନିୟମରେ କିଛି ମାତ୍ରାରେ ପରିବର୍ତ୍ତନ କରାଯାଇଛି |
ସୂଚନାଯୋଗ୍ୟ, ହିଜାବ ବିବାଦ କର୍ଣ୍ଣାଟକର ଏକ କଲେଜରୁ ଆରମ୍ଭ ହୋଇଛି । ଏହି ବିବାଦ ନେଇ ଦେଶସାରା ଚର୍ଚ୍ଚା ହୋଇଛି । ମାମଲା ଏବେ ସୁପ୍ରିମକୋର୍ଟ ପହଞ୍ଚିଛି । ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ସରକାରଙ୍କ ନିଷେଧାଦେଶ ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମାର୍ଚ୍ଚ ମାସରେ ଜରୁରୀକାଳନୀ ଭାବେ ଶୁଣାଣି କରିବାକୁ ମନା କରିଦେଇଥିଲେ ।
ସେହିପରି କର୍ଣ୍ଣାଟକରେ ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ପ୍ରଦାନ କରିଥିବା ୭ ଜଣ ଶିକ୍ଷକ ନିଲମ୍ବିତ ହୋଇଥିଲେ । ଗଡାଗ ଜିଲ୍ଲାର ୭ ଜଣ ଶିକ୍ଷକ ଏସଏସଏଲସି ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଥିବାରୁ ନିଲମ୍ବିତ ହୋଇଥିଲେ । ସିଏସ ପାଟିଲ ବାଳକ ଉଚ୍ଚ ବିଦ୍ୟାଳୟ ଓ ସିଏସ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ପରୀକ୍ଷା ହୋଇଥିଲା ।