ଟିକସ କାଟ କରିବା ପାଇଁ ରାଜ୍ୟମାନଙ୍କୁ କହୁଥିବା ପ୍ରଧାନମନ୍ତ୍ରୀଙ୍କୁ ଲାଜ ଲାଗିବା କଥା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟମାନେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଉପରୁ ଟିକସ ହ୍ରାସ କରୁ ନାହାନ୍ତି ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ପରେ ସରଗରମ ହୋଇପଡିଛି ଦେଶ ରାଜନୀତି |
ବିରୋଧୀ ଶାସିତ ରାଜ୍ୟ କେନ୍ଦ୍ର ସରକାରଣୁ ଟାର୍ଗେଟ କରିଛନ୍ତି | ଇନ୍ଧନ ଉପରେ ଟିକସ କାଟ କରିବା ପାଇଁ ରାଜ୍ୟମାନଙ୍କୁ କହୁଥିବା ପ୍ରଧାନମନ୍ତ୍ରୀଙ୍କୁ ଲାଜ ଲାଗିବା କଥା ବୋଲି ଆଜି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି।

୨୦୧୫ରୁ ତାଙ୍କ ରାଜ୍ୟରେ ଇନ୍ଧନ ଟିକସ ବୃଦ୍ଧି ପାଇ ନାହିଁ ବୋଲି ଦର୍ଶାଇ ସେ କହିଛନ୍ତି, ରାଜ୍ୟମାନଙ୍କୁ ନ କହି କେନ୍ଦ୍ର ନିଜେ କାହିଁକି ଟିକସ କାଟ କରୁନାହିଁ? କେନ୍ଦ୍ର ଖାଲି ଟିକସ ବଢ଼ାଇ ନାହିଁ, ‘ସେସ୍‌’ ମଧ୍ୟ ଆଦାୟ କରୁଛି। ଆପଣଙ୍କର ଯଦି ସତ୍‌ସାହସ ଅଛି, ବର୍ଦ୍ଧିତ ଟିକସର ବିସ୍ତୃତ ବିବରଣୀ ଦିଅନ୍ତୁ।

ଉଲ୍ଲେଖଯୋଗ୍ୟ, ରାଜ୍ୟମାନେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଉପରୁ ଟିକସ ହ୍ରାସ କରୁ ନାହାନ୍ତି ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରତିକ୍ରିୟାଶୀଳ ହୋଇ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି।

ବିରୋଧୀ ଦଳ ଶାସିତ ରାଜ୍ୟମାନଙ୍କରେ ତୈଳ ଅଧିକ ରହିବାକୁ ‘ଅନ୍ୟାୟ’ ବୋଲି କହି ସାଧାରଣ ଜନତାଙ୍କ ଉପକାର ନିମନ୍ତେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ‘ଭାଟ୍‌’ ହ୍ରାସ କରିବା ଲାଗି କୋଭିଡ୍‌ ସଂକ୍ରାନ୍ତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ।

ସେ କହିଥିଲେ, ନଭେମ୍ବର ମାସରେ କେନ୍ଦ୍ର ସରକାର ତୈଳ ଉପରୁ ‘ଏକ୍‌ସାଇଜ୍‌ ଡିୟୁଟି’ ହ୍ରାସ କରିଥିଲେ ସୁଦ୍ଧା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଝାଡ଼ଖଣ୍ଡ ଏବଂ ତାମିଲନାଡୁ ରାଜ୍ୟ ସରକାରମାନେ ତୈଳ ଉପରୁ ‘ଭାଟ୍‌’ ହ୍ରାସ କରୁ ନାହାନ୍ତି।

ଏଥିରେ ପ୍ରତିକ୍ରିୟା ବ୍ୟକ୍ତ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ବାଦିକ କହିଛନ୍ତି ଯେ, ତାଙ୍କ ସରକାର ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ରିହାତି ଦେବା ପାଇଁ ବିଗତ ୩ ବର୍ଷରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୂର୍ଣ୍ଣ ଏକତରଫା ଓ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି। ସେ ଦର୍ଶାଇଥିବା ତଥ୍ୟ ମଧ୍ୟ ଭ୍ରାନ୍ତ। ଗତ ୩ ବର୍ଷ ହେବ ଆମେ ଲିଟର୍‌ପିଛା ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଟ.୧ ଲେଖାଏଁ ରିହାତି ଦେଇ ଆସୁଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି, ଇନ୍ଧନ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ଲିଟର୍‌ପିଛା ପେଟ୍ରୋଲ୍‌ ଉପରେ କେନ୍ଦ୍ର ସରକାର ଟ. ୩୧.୫୮ ଟିକସ ଲାଗୁ କରୁଥିବା ବେଳେ ରାଜ୍ୟ ସରକାର ଟ.୩୨.୫୫ ଟିକସ ଲାଗୁ କରୁଛନ୍ତି। ତେଣୁ, ରାଜ୍ୟ ସରକାରଙ୍କ ପାଇଁ ପେଟ୍ରାଲ୍‌ ଓ ଡିଜେଲ୍‌ ଦର ମହଙ୍ଗା ପାଇଛି ବୋଲି କହିବା ଅନୁଚିତ।

Related Posts