ଆଗକୁ ବଢିପାରେ ସ୍କୁଲ ଛୁଟି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ | ତେବେ ଏହାରି ମଧ୍ୟରେ ସରକାରଙ୍କ ପକ୍ଷରୁ ସ୍କୁଲ ଛୁଟି ନେଇ ଥିବା ଅବଧିକୁ କମାଇ ଦେଇଯାଇଛି | କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଶିକ୍ଷା ବ୍ୟବସ୍ଥା ଭୁଶୁଡିବାକୁ ବସିଥିବା ବେଳେ, ଏହି କାରଣ ଦର୍ଶାଇ ସ୍କୁଲ ଛୁଟି ଅବଧିକୁ କାମ ଯାଇଥିଲା | ମାତ୍ର ଏବେ ବଢୁଥିବା ତାତିକୁ ନେଇ ସରକାରଙ୍କ ପକ୍ଷରୁ ୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି | ଏହାପରେ ହିଟୱେଭ ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଅସହ୍ୟ ତାତି ବଢ଼ିବାରୁ ଦିନ ୧୦ଟା ପରେ ସ୍କୁଲରୁ ଫେରିବା ସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲା। ଏନେଇ ଅଭାଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗତ ୨୬ ତାରିଖରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ଏବେ ତାତିରୁ ନିସ୍ତାର ମିଳିବା ପରି ଲାଗୁ ନାହିଁ। ତେଣୁ ୩୦ ତାରିଖ ପରେ ସ୍କୁଲ ପୂର୍ବ ପରି କାର୍ଯ୍ୟକ୍ଷମ ହେବ ବି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସେତେବେଳର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ଏ ସମ୍ପର୍କରେ ଏବେଠୁ କିଛି କହି ହେବନି। ସ୍କୁଲ ଛୁଟି ହେଲେ ପୁଣି ଥରେ ଅନଲାଇନ୍‌ କ୍ଲାସ୍‌ ଚାଲିବ କି ବୋଲି ପଚରାଯିବାରୁ ଅନଲାଇନ୍‌ କ୍ଲାସ୍‌ ଏବେବି ଚାଲୁ ରହିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ସୂଚନାଯୋଗ୍ୟ, ପ୍ରତି ବର୍ଷ ଦେଢ଼ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଖରାଛୁଟି ହେଉଥିବା ବେଳେ ଏଥର ଏହାକୁ ୧୦ ଦିନରେ ସୀମିତ ରଖିଛନ୍ତି ରାଜ୍ୟ ସରକାର। ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ମାତ୍ର ପ୍ରବଳ ତାତିରେ ପିଲା ସ୍କୁଲ ଯିବା ଅସମ୍ଭବ ହୋଇ ପଡ଼ୁଥିବାରୁ ଏହାକୁ ବିରୋଧ କରିଥିଲେ ଅଭିଭାବକ ଓ ଶିକ୍ଷାବିତ। ଏହାପରେ ରାଜ୍ୟ ସରକାର ଗତ ୨୬ରୁ ସ୍କୁଲ ଛୁଟି ଘୋଷଣା କରିଥିବା ବେଳେ ପୁଣି କେବେ ଖୋଲୁଛି ତଥା ଖରା ଛୁଟି କେବେଠୁ ଲାଗୁ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

Related Posts