
ସତ୍ୟପାଠ ବ୍ୟୁରୋ(ଗୌହାଟି): ରବିବାର ସକାଳେ ଚାରିଟି ଶକ୍ତିଶାଳୀ ଗ୍ରେନେଡ୍ ବିସ୍ଫୋରଣ ଆସାମକୁ ଦୋହଲାଇ ଦେଇଛି। ଚାରିଟି ଗ୍ରେନେଡ୍ ବିସ୍ଫୋରଣ ମଧ୍ୟରୁ ତିନୋଟି ଡିବ୍ରୁଗଡ଼ ଏବଂ ଗୋଟିଏ ଚରୈଦେଓ ଜିଲ୍ଲାରେ ହୋଇଛି ବୋଲି ପୁଲିସ କହିଛି।
ଡିବ୍ରୁଗଡ଼ ଜିଲ୍ଲାର ଡିବ୍ରୁଗଡ଼ ଥାନା ଅନ୍ତର୍ଗତ ଗ୍ରାହାମ ବଜାର ଏବଂ ଏ. ଟି. ରୋଡ୍ସ୍ଥିତ ଗୁରୁଦ୍ୱାର ନିକଟରେ ଦୁଇଟି ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ଅନ୍ୟ ଏକ ବିସ୍ଫୋରଣ ତୈଳ ନଗର ଦୁଲିଆଗଞ୍ଜ ଠାରେ ହୋଇଥିବା ଜଣା ପଡିଛି । ଚତୁର୍ଥ ବିସ୍ଫୋରଣଟି ଘଟିଛି ଚରୈଦେଓ ଜିଲ୍ଲାର ସୋନାରି ଥାନା ଅନ୍ତର୍ଗତ ତୋଏକ୍ ଘାଟ ଠାରେ।
ସରକାରୀ ଅଧିକାରୀମାନେ ବିସ୍ଫୋରଣସ୍ଥଳକୁ ଯାଇଛନ୍ତି। ଏଥିରେ କେହି ମୃତାହତ ହୋଇନଥିବା ଖବର ଆସିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ଶ୍ରବଣାନନ୍ଦ ସୋନୋଓ୍ଵାଲ୍ ଟୁଇଟ୍ କରିଛନ୍ତି:
“ଆସାମର ଅଳ୍ପ କେତେକ ସ୍ଥାନରେ ହୋଇଥିବା ବୋମା ବିସ୍ଫୋରଣକୁ ନିନ୍ଦା କରୁଛି। ଲୋକମାନଙ୍କ ଦ୍ୱାରା ପୂର୍ଣ୍ଣରୂପେ ବର୍ଜିତ ହେବା ପରେ ଆଜି ଭଳି ପବିତ୍ର ଦିନରେ ଏହି କାପୁରଷ ଉଦ୍ୟମ ଆତଙ୍କବାଦୀ ସଂଗଠନଗୁଡ଼ିକର ହତାଶା ପ୍ରଦର୍ଶନ କରୁଛି। ଅପରାଧୀଙ୍କୁ ଧରିବା ପାଇଁ ଆମ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ”।
ଏହି ବିସ୍ଫୋରଣ ପାଇଁ ଆଜି ‘ଉଲ୍ଫା-ଇ’ ସଂଗଠନ ନିଜକୁ ଦାୟୀ କରିଛି । ସାରା ଦେଶ ସାଧାଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ବେଳେ ଏଭଳି ଘଟଣା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ।