
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ଚିନ୍ତା ବଢ଼ାଇଲା କରୋନା । କିଛି ଦିନ ହେବ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମି ଯାଇଥିବାବେଳେ ଦକ୍ଷିଣ କୋରିଆରେ କୋଭିଡ-୧୯ ପରିସ୍ଥିତି ଏବେ ସଙ୍ଗିନ ହୋଇପଡିଛି। ଗୋଟିଏ ଦିନରେ ଦେଶରେ ୬ଲକ୍ଷ ୨୧ ହଜାର ୩୨୧ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ସହ ୪୨୯ ଜଣଙ୍କର ମୃତୁ୍ୟ ଘଟିଛି । ସେପଟେ ନୂଆ ମାମଲା ସହିତ ଦେଶରେ ଗୋଟିଏ ଦିନରେ କରୋନା ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଦେଶରେ ଦୈନିକ ସଂକ୍ରମଣ ହାର ଏବେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମସ୍ତ ଆକଳନକୁ ପାର କରିଯାଇଛି।
ଗତ ମଙ୍ଗଳବାର ଦକ୍ଷିଣ କୋରିଆ ଲାଗି ଏକ ଘାତକ ଦିନ ଥିଲା। ଏହି ଦିନ ଦେଶରେ କରୋନା ଯୋଗୁ ସର୍ବାଧିକ ୨୯୩ ଜଣ ପ୍ରାଣ ହରାଇଥିଲେ। ମଧ୍ୟ ମାର୍ଚ୍ଚ ବେଳକୁ ଦେଶରେ କରୋନା ସଂକ୍ରମଣର ପିକ୍ ରେ ଥିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ଏହିସମୟରେ ଦୈନିକ ସଂକ୍ରମଣ ପାଖାପାଖି ୧ ଲକ୍ଷ ୪୦ ହଜାରରୁ ୨ଲକ୍ଷ ୭୦ ହଜାରକୁ ପହଞ୍ଚିପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଅନୁମାନ କରିଥିଲେ। ତେବେ ୬ ଲକ୍ଷ ୨୧ ହଜାରରେ ପହଞ୍ଚିବ ତାହା କେହି କଳ୍ପନା ବି କରିନଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।