ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନିଆଳି : ପୁଣି ଉଦ୍ଧାର ହେଲା ଆଉ ଜଣେ ଛାତ୍ରୀଙ୍କ ମୃତ ଦେହ । କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁର ଠାରେ ଥିବା ଦେବକି ହଷ୍ଟେଲରୁ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପାରିପାର୍ଶିକ ସ୍ଥିତିକୁ ଦେଖି ଝିଅକୁ ହଷ୍ଟେଲ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ବଡବାପା ।

ଘଟଣାରେ ଓଲଟପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ସୂଚନା ଥାଉକି, ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ରଶ୍ମିରେଖା ଖିଲାର । ଅଡଶପୁର ଦେବକି ହଷ୍ଟେଲରେ ରହି ଉଦାୟନାଥ ମହାବିଦ୍ୟାଳୟର ବିଜ୍ଞାନର ୩ୟ ବର୍ଷର ଛାତ୍ରୀ ଥିଲେ ରଶ୍ମିରେଖା । ତାଙ୍କ ଘର ଯାଜପୁର କୁଆ ଖିଆ ଥାନା ବେଦମତି ଗାଁରେ । ଉଚ୍ଚ ଶିକ୍ଷା ପାଇଁ ୨୦୨୦ ମସିହାରେ ଏଠାକୁ ପାଠ ପଢିବାକୁ ଆସିଥିଲେ ।

ପରିବାର ଲୋକଙ୍କ କହିବା ମୁତାବକ ସୋମବାର ଦୀପାବଳି ଦିନ ଝିଅ ନିଖୋଜ ନେଇ ପରିବାର ଲୋକଙ୍କୁ ଫୋନ ଯୋଗେ କହିଥିଲେ ହଷ୍ଟେଲ ମାଲିକ । ପରିବାର ଲୋକ ଖବର ପାଇ ହଷ୍ଟେଲରେ ଆସି ପହଞ୍ଚିଥିଲେ । ପରିବାର ଲୋକଙ୍କୁ ହଷ୍ଟେଲ ମାଲିକ କହିଥିଲେ ଯେ, ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି । ହଷ୍ଟେଲରେ ରୁମରେ ଝିଅର ଝୁଲନ୍ତା ମୃତହେହ ଦେଖି ତାଜୁବ ହୋଇଯାଇଥିଲେ ପରିବାର ଲୋକ ।

ପାରିପାର୍ଶ୍ୱିତ ସ୍ଥିତି ଦେଖିବା ପରେ ଲାଗିଥିଲା ଯେ ଝିଅକୁ ହତ୍ୟା ପରେ ମାରି ଟାଙ୍ଗି ଦିଆଯାଇଛି । ମୃତ ଛାତ୍ରୀଙ୍କ ବଡବାପାଙ୍କ ଅଭିଯୋଗ ଅନୁଯାୟୀ ଝିଅ ମୃତଦେହ ଝୁଲୁଥିବା ଓଢଣୀରେ ପଡିଥିଲା ଅନେକ ଗଣ୍ଠି । ଯାହାକୁ ନେଇ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଝିଅ ସହ ରହୁଥିବା ଅନ୍ୟ ସାଙ୍ଗମାନଙ୍କ ମତାମତ ମଧ୍ୟ ପାଖାପାଖି ସମାନ ଥିଲା । ତାଙ୍କ ମତରେ ସେମାନେ ଏକାଠି ଛାତ ଉପରକୁ ଯାଇଥିଲେ, ହଠାତ୍ ସେଠାରେ ରଶ୍ମିରେଖା ନଥିଲେ । ଖାଇବାକୁ ଡାକିବାକୁ ଯିବା ବେଳକୁ ରଶ୍ମିରେଖା ଝୁଲନ୍ତା ଅବସ୍ଥାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏସବୁ ଜାଣିବା ପରେ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକ ।

Related Posts