ଗୁଜୁରାଟରେ ଦୀପାବଳିରେ ସାମ୍ପ୍ରଦାୟିକ ହିଂସା; ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ, ପୋଲିସ ଉପରକୁ ଫିଙ୍ଗିଲେ ପେଟ୍ରୋଲ ବୋମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀପାବଳିରେ ସାମ୍ପ୍ରଦାୟିକ ହିଂସା। ବାଣ ଫୁଟାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ପଥରମାଡ ସାଙ୍ଗକୁ ବ୍ୟାପକ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ। ଗୁଜରାଟର ଭଡୋଦରାରୁ ଏଭଳି ଘଟଣା ସାମ୍ନାକୁ ଆସିଛି।

ଭଡୋଦରାର ପାନିଘାଟ ଅଞ୍ଚଳର ହରଂଖାନା ରୋଡ୍ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥର ମାଡ ହୋଇଥିଲା। ଏପରିକି ଦୋକାନ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଉପରକୁ ମଧ୍ୟ ସେମାନେ ପେଟ୍ରୋଲ ବୋମା ଫିଙ୍ଗିଥିଲେ।

ପରେ ପୁଲିସ ଲାଠି ଚାର୍ଜ କରିବା ସହ ପରିସ୍ଥିତିକୁ କାବୁ କରିଥିଲା। ଦଙ୍ଗାକାରୀମାନେ ରାସ୍ତାର ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରି ମାର୍‌ପିଟ୍ ଆରମ୍ଭ କରିଥିଲେ। ତେବେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ।

ତେବେ ଏହାପୂର୍ବରୁ ମଧ୍ୟ ଭଡୋଦରାରେ ଦୁଇ ସ୍କୁଟର୍ ମଧ୍ୟରେ ଧକ୍କା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ପଥରମାଡ କରିଥିଲେ। ଘଟଣା ପରେ ରାବପୁରା ଓ ଧିକାଟାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

Related Posts