ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବ୍ରିଟେନକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ଏନେଇ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ ମୋଦୀ କହିଛନ୍ତି, ଆପଣ ୟୁକେର ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ବୈଶ୍ୱିକ ପ୍ରସଙ୍ଗରେ ମିଶି କାମ କରିବା ଏବଂ ରୋଡମ୍ୟାପ ୨୦୩୦କୁ ଲାଗୁ କରିବାକୁ ଉତ୍ସାହିତ ଅଛି । ଏହାସହ ବ୍ରିଟେନରେ ଥିବା ପ୍ରବାସୀ ଭାରତୀୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

ପିଏମ ମୋଦୀ ଟ୍ୱିଟ କରି କହିଛନ୍ତି, ‘ଋଷି ସୁନକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ! ଆପଣ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି, ମୁଁ ବୈଶ୍ୱିକ ପ୍ରସଙ୍ଗ ଉପରେ ଏକହୋଇ କାମ କରିବା ଏବଂ ରୋଡମ୍ୟାପ ୨୦୩୦କୁ ଲାଗି କରିବା ପାଇଁ ଉତ୍ସାହିତ ଅଛି । ବ୍ରିଟିଶ ଭାରତୀୟଙ୍କ ଜୀବନ୍ତ ସେତୁକୁ ଦୀପାବଳିର ଶୁଭେଚ୍ଛା । ଆମେ ଐତିହାସିକ ସମ୍ପର୍କକୁ ଆଧୁନିକ ସହଭାଗୀତାରେ ବଦଳାଇଛୁ’।

ଅନ୍ୟପଟେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଚୟନ ହେବା ପରେ ସୁନକ କହିଛନ୍ତି ଯେ, ନିଜ ସାଥୀ ସାଂସଦଙ୍କ ସମର୍ଥନ ପାଇବା ଏବଂ ନେତା ନିର୍ବାଚିତ ହେବା ପରେ ନିଜକୁ ସମ୍ମାନିତ ଅନୁଭବ କରୁଛି । ଏହି ଦାୟିତ୍ୱକୁ ନମ୍ରତାର ସହ ସ୍ୱୀକାର କରୁଛି ।

ଉଲ୍ଲେଖଯୋଗ୍ୟେ, ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି । ଦୀପାବଳି ଦିନରେ ପେନୀ ମାର୍ଡଣ୍ଟ ପ୍ରଧାନମନ୍ତ୍ରୀ ଦୌଡରୁ ହଟିବା ନେଇ ଘୋଷଣା କରିବା ପରେ ସୁନକ ନିର୍ଦ୍ୱନ୍ଦ୍ୱରେ କନଜରଭେଟିଭ ପାର୍ଟିର ନେତା ନିର୍ବାଚିତ ହୋଇଛନ୍ତି । ଋଷି ସୁନକଙ୍କୁ କନଜରଭେଟିଭ ପାର୍ଟିର ୩୫୭ରୁ ଅଧା ସାଂସଦଙ୍କ ସମର୍ଥନ ମିଳିଛି । ବିଜୟ ପାଇଁ ତାଙ୍କୁ ଅତି କମରେ ୧୦୦ ସାଂସଦଙ୍କ ସମର୍ଥନର ଆବଶ୍ୟକତା ଥିଲା ।

Related Posts