‘ପୁଣି ୟୁ-ଟର୍ଣ୍ଣ ନେବେ ନୀତିଶ କୁମାର, ବିଜେପି ସହ ଏବେ ବି ସେ ଯୋଗାଯୋଗରେ ଅଛନ୍ତି’: ପ୍ରଶାନ୍ତ କିଶୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର( ପିକେ ) ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ବଡ଼ ଦାବି କରିଛନ୍ତି। ବିଜେପିକୁ ଛାଡ଼ି କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇଥିବା ନୀତୀଶ କୁମାର ପୁଣି ୟୁ-ଟର୍ଣ୍ଣ ନେଇ ପାରନ୍ତି। ସେ ଏବେ ବି ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଯଦି ଆବଶ୍ୟକ ପଡ଼େ, ତା’ହେଲେ ସେ ପୁଣି ବିଜେପି ସହ ହାତ ମିଳାଇବେ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି।ତେବେ ଜେଡିୟୁ ଏହାକୁ ମଡ଼ଗଡ଼ା କାହାଣୀ ଓ କେବଳ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ପିକେ ପ୍ରୟାସ କରୁଥିବା କହିଛି।

ତେବେ ନିର୍ବାଚନ ରଣନୀତିଜ୍ଞ ରୁ ସକ୍ରିୟ ରାଜନୀତିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବା ପିକେ ଏବେ ବିହାରରେ ଜନ ସୁରାଜ୍ ପଦଯାତ୍ରା କରୁଛନ୍ତି। ଏହି ପଦଯାତ୍ରା ସମୟରେ ପିକେ କହିଛନ୍ତି ଯେ, ନୀତୀଶ କୁମାର ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଜେଡିୟୁ ସାଂସଦ ତଥା ରାଜ୍ୟସଭାର ଉପାଧକ୍ଷ ହରିବଂଶଙ୍କ ଦ୍ୱାରା ବିଜେପି ସହ ଯୋଗାଯୋଗର ଲାଇନ ନୀତୀଶ କୁମାର ଖୋଲା ରଖିଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେପି ସହ ଜେଡିୟୁ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଥିଲେ ମଧ୍ୟ ଖାସ୍‌ ବିଜେପି ସହ ଯୋଗସୂତ୍ର ରକ୍ଷା କରିବା ପାଇଁ ହରିବଂଶଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କୁହାଯାଇନାହିଁ। ଲୋକମାନେ ଜାଣି ରଖିବା ଦରକାର ଯେ ଯଦି ପରିସ୍ଥିତି ଉପୁଜେ, ତା’ହେଲେ ନୀତୀଶ କୁମାର ପୁଣି ବିଜେପି ସହ ହାତ ମିଳାଇ ଏକାଠି କାମ କରିପାରନ୍ତି ବୋଲି ପିକେ କହିଛନ୍ତି।

ତେବେ ପ୍ରଶାନ୍ତ କିଶୋରଙ୍କ ଏପରି ଦାବିରେ କୌଣସି ସତ୍ୟତା ନଥିବା ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି। ସେ କହିଛନ୍ତି, ଆମେ ଦୃଢ଼ତାର ସହ ଏହାକୁ ଖଣ୍ଡନ କରୁଛୁ। ନୀତୀଶ କୁମାର ଦୀର୍ଘ ୫୦ ବର୍ଷ ହେବ ରାଜନୀତିରେ ଅଛନ୍ତି ଓ ପ୍ରଶାନ୍ତ କିଶୋର ମାତ୍ର ୬ ମାସ ହେବ ଏଠାକୁ ଆସିଛନ୍ତି। ପ୍ରଶାନ୍ତ କିଶୋର ଏପରି ବିଭ୍ରାନ୍ତୀକର ବୟାନ ଦେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ତ୍ୟାଗୀ କହିଛନ୍ତି।

Related Posts