ଆଉ କିଛି ସମୟ ପରେ ମାଟିରେ ମିଶିବ ଟ୍ୱିନ୍ ଟାୱାର: ବେଆଇନ ନିର୍ମାଣ ପାଇଁ କିଏ ଦାୟୀ ?

ଭୁବନେଶ୍ୱର: ଆଉ ମାତ୍ର କିଛି ସମୟର ଅପେକ୍ଷା । ମାଟିରେ ମିଶିଯିବ ନୋଇଡା ସେକ୍ଟର-୯୩(ଏ)ରେ ଥିବା ଟ୍ୱିନ୍ ଟାୱାର । ସରକାରୀ ନିୟମକୁ ଅଣଦେଖା କରି ଏହି ଟାୱାର ନିର୍ମାଣ କରାଯାଇଥିବା କଥା କୁହାଯାଇଛି । ସେପଟେ ଏହି ଟ୍ୱାୱାରରେ ଫ୍ଲାଟ କିଣିଥିବା ଲୋକମାନେ ଟାୱାର ନିର୍ମାଣକାରୀ ସୁପରଟେକ୍ କମ୍ପାନୀ ବିରୋଧରେ ନିଜ ଖର୍ଚ୍ଚରେ ଆଇନର ଲଢେଇ ଏବେ ବି ଲଢୁଛନ୍ତି । ହେଲେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ନଭଚୁମ୍ଭୀ ଟାୱାରକୁ ଧ୍ୱଂସ କରାଯିବ ।

ଟ୍ୱିନ ଟାୱାରରେ ଫ୍ଲାଟ କିଣିବାକୁ ଶହ ଶହ ଲୋକ ଆଡଭାନ୍ସ ଦେଇଛନ୍ତି । ଗୋଟିଏ ପଟେ ଟାୱାର ଭାଙ୍ଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ଏପର୍ଯ୍ୟନ୍ତ ଅନେକ ଲୋକ ସେମାନଙ୍କ ଆଡଭାନ୍ସ ଟଙ୍କା ପାଇ ନାହାଁନ୍ତି । ଅନ୍ୟପଟେ ଏହି ଟାୱାର ଭଙ୍ଗାଯିବା ବେଳେ ଆଖ ପାଖରେ ରହୁଥିବା ଲୋକଙ୍କ ଘର କଣ ହେବ କେତେ ପ୍ରଦୁର୍ଷଣ ହେବ ତାହାକୁ ନେଇ ସ୍ଥାନୀୟ ଲୋକ ଏବେ ବି ଭୟଭିତ ଅଛନ୍ତି । ୧୫ ବର୍ଷ ତଳେ ଏହି ଟାୱାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏହି ଟାୱାର ନିର୍ମାଣ ପାଇଁ ନୋଇଡା ଅରରେଟି ସୁପରଟେକ୍ କମ୍ପାନୀକୁ ୮୪,୨୭୩ ବର୍ଗ ମିଟର ଜମି ଦେଇଥିଲା । ସେତେବେଳେ ନୋଇଡା ଅଥରେଟିର ନିର୍ଦ୍ଦେଶ ଦେଇଥିଲା କି ଏହି ପ୍ରୋଜେକ୍ଟରେ ଗ୍ରାଉଣ୍ଡ ଫ୍ଲୋର ବ୍ୟତୀତ ୨୨ ତାଲା ମୁତାବକ ୧୬ ଟି ଟାୱାର ନିର୍ମାଣ କରାଯାଇ ପାରିବ । ଏହାପରେ ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଆଇନ ବଳପରେ ନିର୍ମାଣକାରୀ ସଂସ୍ଥା ୨୨ ମହଲା ବଦଳରେ ୨୪ ମହଲା କରିବା ସହ ଫ୍ଲାଟର ସାଇଜ୍ ୭୩ମିଟର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ ।

ଏସବୁକୁ କୋର୍ଟ ଆଖିବୁଜି ଦେଇଥିବା ବେଳେ ପୁଣି ନିର୍ମାଣକାରୀ କମ୍ପାନୀ ୨୪ ମହଲା ସ୍ଥାନରେ ୪୦ ମହଲା କୋଠା ନିର୍ମାଣ କରିବା ସହ ଫ୍ଲାଟର ସାଇଜ ୧୨୧ ମିଟର ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ଏହାପରେ କୋର୍ଟ ଏହି ବେଆଇନ ନିର୍ମାଣକୁ ବିରୋଧ କରିଥିଲା ।

ଅନ୍ୟପଟେ ଏଠି ପ୍ରଶ୍ନ ଉଠୁଛି କି ଏହି ଟାୱାର ଭାଙ୍ଗିବା ପରେ ଏଠାରେ ଫ୍ଲାଟ କିଣିଥିବା ଲୋକଙ୍କର କଣ ହେବ । ଟ୍ୱିନ୍ ଟାୱାରରେ ୭୧୧ ଜଣ ଲୋକ ଫ୍ଲାଟ୍ କିଣିଥିଲେ । ସେମାନଙ୍କ ମଧ୍ୟରୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ନିର୍ମାଣକାରୀ କମ୍ପାନୀ ସୁପରଟେକ ୬୫୨ ଜଣଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ କରିଦେଇଛି । ହେଲେ ବାକି ୫୯ ଜଣ ଗ୍ରାହକ ଏପର୍ଯ୍ୟନ୍ତ ସେମାନଙ୍କ ଜମା ଅର୍ଥ ପାଇପାରି ନାହାଁନ୍ତି ।

ସୂଚନାଯୋଗ୍ୟ, ମାତ୍ର ୧୨ ସେକେଣ୍ଡ ଭିତରେ ସବୁ କିଛି ଧ୍ଵଂସ ହୋଇଯିବ। ୧୦୩ ମିଟର ଉଚ୍ଚ ବିଶାଳ କୋଠା ଭଙ୍ଗାଯିବ । ବେଆଇନ ଭାବେ ନିର୍ମିତ ଏହି କୋଠାକୁ ଭାଙ୍ଗିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଏହାକୁ ଭାଙ୍ଗିବା ପାଇଁ ବ୍ୟବହାର ହେବ ୩ ହଜାର ୭ ଶହ କିଲୋଗ୍ରାମ ଓଜନର ବିସ୍ଫୋରକ ।

ଆରମ୍ଭ ହୋଇ ଯାଇଛି କାଉଣ୍ଟଡାଉନ୍ । ୨୮ଅଗଷ୍ଟ, ଦିନ ୨ଟାରେ ବାଜିବ ସାଇରନ୍ । ୩ଥର ସାଇରନ୍ ପରେ ଘଣ୍ଟାରେ ଦିନ ୨.୩୦ମିନିଟ ବାଜିବା ମାତ୍ରେ ରିମୋର୍ଟ ସୁଇଚ୍ ଦବାଇ ଦିଆଯିବ । ଏହାପରେ ୧୨ ସେକେଣ୍ଡ ଧରି କିଛି ବିସ୍ଫୋରଣ ହେବ । ନୋଏଡାରେ ଠିଆ ହୋଇଥିବା ୩୨ ମହଲା ବିଶିଷ୍ଟ ୧୦୩ ମିଟର ସୁଉଚ୍ଚ ସୁପରଟେକ୍ ଟୁଇନ୍ ଟାୱାର ମାଟିରେ ମିଶିଯିବ ।

ଟୁଇନ ଟାୱାରକୁ ଭାଙ୍ଗିବା ପାଇଁ ଲାଗିବ ୧୨ସେକେଣ୍ଡ , କିନ୍ତୁ ଏହି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଲାଗିଛି ୧୮୧ ଦିନ । ଏଥିପାଇଁ ବ୍ୟବହାର ହେବ ଇମ୍ପ୍ଲୋଜନ୍ ଟେକନିକ୍ । ଏମିତି ବିସ୍ଫୋରଣ ଯେଉଁଥିରେ ଟାୱାର ଭାଙ୍ଗିବା ପରେ ଭଗ୍ନାଂଶ ସବୁ ବାହାରକୁ ଛିଟିକି ପଡିବନି । ଏହାକୁ ଭାଙ୍ଗିବା ଲାଗି ମୁମ୍ବାଇର ଏଡିଫିସ୍ ଇଞ୍ଜିନିୟରିଂ ଏବଂ ଦକ୍ଷିଣ ଆଫ୍ରିକାର ଜେଟ୍ ଡିମୋଲିସନ୍ସ୍ କୁ ମିଳିଛି କଣ୍ଟ୍ରାକ୍ଟ । ଟୁଇନ ଟାୱାର ଭାଙ୍ଗିବା ଯୋଜନାକୁ ରୂପ ଦେବା ଲାଗି ଗତ ୨୧ଫେବୃଆରୀରୁ ୩୫୦ ଶ୍ରମିକ ଏବଂ ୧୦ଜଣ ଇଞ୍ଜିନିୟର କାମରେ ଲାଗିଥିଲେ । ଦେଶରେ ଏତେ ବଡ କୋଠାକୁ ପ୍ରଥମଥର ପାଇଁ ଭଙ୍ଗା ଯାଉଛି ।

ବ୍ଲାଷ୍ଟ ଆଗରୁ ୨୮ଅଗଷ୍ଟ ସକାଳ ୭ଟାରୁ ଆଖପାଖ ୫ଶହ ମିଟର ଭିତରେ ଥିବା ସମସ୍ତ ୧୩୯୬ ଫ୍ଲାଟ୍ସକୁ ଖାଲି କରିଦିଆଯିବ । ଟାୱାରର ୧୦କିଲୋମିଟର ଇଲାକାକୁ ନୋ-ଫ୍ଲାଇଙ୍ଗ ଜୋନ୍ କରି ଦିଆଯିବ । ଆଖପାଖ ସବୁ ରାସ୍ତାରେ ଯାତାୟତ ବନ୍ଦ କରି ଦିଆଯିବ । ଯମୁନା ଏକ୍ପପ୍ରେସ୍ କୁ ୧ଘଣ୍ଟା ବନ୍ଦ କରି ଦିଆଯିବ । ଆଉ ଏହାପରେ ଠିକ୍ ମଧ୍ୟାହ୍ନ ସାଢେ ୨ଟାରେ ଚିପି ଦିଆଯିବ ରିମୋଟ୍ ବଟନ୍ । ମୁହୁର୍ତ୍ତକରେ ୬୦ହଜାର ଟନ୍ ର କଂକ୍ରିଟ ଏବଂ ଲୁହାର ଭଗ୍ନସ୍ତୁପ ପାଲିଟିଯିବ ।

ତେବେ ଟୁଇନ୍ ଟାୱାର ଭାଙ୍ଗିବା ପରେ ପ୍ରାୟ ୪କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯିବ ଧୂଳିର ମୋଟା ପରସ୍ତ । ସେଥିପାଇଁ କୋଠା ଭାଙ୍ଗିବା ପରେ ଆଖପାଖ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ୭ଶହ କୋଟି ଟଙ୍କାର ଟୁଇନ୍ ଟାୱାରକୁ ଭାଙ୍ଗିବା ଲାଗି ଖର୍ଚ୍ଚ ହେବ ପ୍ରାୟ ସାଢେ ୧୭ କୋଟି ଟଙ୍କା । ଆଖପାଖ ଇଲାକାରେ ଥିବା ସୋସାଇଟି ଲାଗି ଗାଇଡଲାଇନ ଜାରି କରାଯାଇଛି । କେହି ବାଲକୋନିରେ ଠିଆ ହୋଇ ଦେଖିପାରିବେନି । ଘରର ଦୁଆର ଏବଂ ଝରକା ବନ୍ଦ ରଖିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।

Related Posts