ପୁଣି ଅଶାନ୍ତ ଜେଏନ୍‌ୟୁ; ମୋଦିଙ୍କ ଉପରେ ନିର୍ମିତ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ବେଳେ ପଥର ମାଡ଼

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଦ୍ଵାରା ନିର୍ମିତ ବିବାଦୀୟ ଡକ୍ୟୁମେଣ୍ଟାରୀକୁ ନେଇ ପୁଣି ଆସନ୍ତା ହୋଇ ଉଠିଛି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସ୍‌ । କଲେଜ ପ୍ରଶାସନର ବାରଣ ସତ୍ତ୍ୱେ ଜେଏନ୍‌ୟୁ ଛାତ୍ର ସଂଘ ପକ୍ଷରୁ ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରାଯିବାକୁ ନେଇ କ୍ୟାମ୍ପସ୍‌ ପରିସରରେ ଅଘଟଣ ଘଟିଯାଇଛି । ଏପରିକି ଏଥିଯୋଗୁ ଜେଏନ୍‌ୟୁ ଛାତ୍ର ସଂଘ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିବି) ମୁହାଁମୁହିଁ ହୋଇଛନ୍ତି। ବିଶ୍ଵବିଦ୍ୟାଳୟ ଚାରିପଟେ ପୁଲିସ୍‌ ପଇଁତରା ମାରୁଥିବା ବେଳେ ଭିତରେ ପରିସ୍ଥିତି ଉତ୍ତେଜନାମୂଳକ ଥିବା ଜଣାଯାଇଛି।

ତେବେ ବିବିସି ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମତ ଡକ୍ୟୁମେଣ୍ଟାରୀକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି। ଏପରିକି ଏହାର ଲିଙ୍କ୍‌ ଵ୍ୟାନ୍ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୱିଟର ଓ ୟୁଟୁବୁକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ମଧ୍ୟରେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ଏହାର ସ୍କ୍ରିନିଂ ପାଇଁ ଛାତ୍ର ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଏହି ସ୍କ୍ରିନିଂକୁ କଲେଜ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନ ଥିଲା। ଏପରିକି ସ୍କ୍ରିନିଂ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଚେତାବନୀ ଦିଆଯାଇଥିଲା।

ହେଲେ ଛାତ୍ର ସଂଘ ପକ୍ଷରୁ ଏହାକୁ ଖାତିର ନ କରି ଗତକାଲି ରାତିରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଏହାର ସ୍କ୍ରିନିଂ ବ୍ୟବସ୍ଥା କରାଯାଇଥିଲା। ଏହାକୁ ଦେଖିବାକୁ ଶତାଧିକ ଛାତ୍ର ଏକାଠି ହୋଇଥିଲେ। ହେଲେ ସ୍କ୍ରିନିଂ ପୂର୍ବରୁ କ୍ୟାମ୍ପସ୍‌ ପରିସରରେ ଲାଇନ୍‌ କାଟିଦିଆ ଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ମୋବାଇଲ ଟର୍ଚ୍ଚ ଜଳାଇ ଡକ୍ୟୁମେଣ୍ଟାରୀ ଦେଖିଥିଲେ। ହେଲେ ଏହି ଅନ୍ଧାରର ସୁଯୋଗ ନେଇ ଏକାଠି ହୋଇଥିବା ଛାତ୍ରଙ୍କ ଉପରକୁ ଅତର୍କିତ ଭାବେ ପଥର ମାଡ଼ ହୋଇଥିଲା। ଏହାକୁ ନେଇ କଲେଜ କ୍ୟାମ୍ପସ୍‌ ଏକ ପ୍ରକାର ଅଶାନ୍ତ ହୋଇ ପଡ଼ିଲା।

ଏବିଭିପି ଏହି ପଥର ମାଡ଼ କରିଥିବା ଛାତ୍ର ସଂଘ ଅଭିଯୋଗ କରୁଥିବା ବେଳେ ଏବିଭିପି ଏହାକୁ ସ୍ୱୀକାର କରୁନି। ଏପରିକି ପଥର ମାଡ଼ କରୁଥିବା ୨ ଛାତ୍ରଙ୍କୁ ସେମାନେ ଚିହ୍ନଟ କରିଥିବା ବି ଦାବି କରିଛନ୍ତି। ଏନେଇ ପୁଲିସ୍‌କୁ ଅବଗତ କରାଯିବାରୁ ପୁଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଛାତ୍ର ସଂଘ ଅଭିଯୋଗ କରିଛି।

ଏପରିକି ଏହା ବିରୋଧରେ ଶତାଧିକ ଛାତ୍ର ରାଲି କରି ବସନ୍ତ କୁଞ୍ଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲେଜ ପରିସରରେ ତଥା ବାହାରେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

Related Posts