ଆଉ ନାହାଁନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଆଣ୍ଡ୍ର୍ୟୁ ସାଇମଣ୍ଡସ୍

ନୂଆଦିଲ୍ଲୀ:ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଆଣ୍ଡ୍ର୍ୟୁ ସାଇମଣ୍ଡସ୍ । ତେବେ ଅଚାନକ ତାଙ୍କ ମୃତ୍ୟୁ କୁ ନେଇ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି ସାଇମଣ୍ଡସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

କ୍ରୀଡ଼ା ଜଗତ ପାଇଁ ପୁଣି ଥର ବଡ଼ ଦୁଃଖଦ ଖବର ଆସିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ । ସାଇମଣ୍ଡ ଶନିବାର ରାତିରେ କୁଇନ୍ସଲାଣ୍ଡ ଟାଉନ୍ସଭିଲେରେ ଏକ କାର ଦୁର୍ଘଟଣାର ସାମ୍ନା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସାଇମଣ୍ଡଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ବିଫଳ ହୋଇଥିଲା।

ପୋଲିସର କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ପୂର୍ବତନ କ୍ରିକେଟରଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିଲା । ସାଇମଣ୍ଡଙ୍କ ଦେହାନ୍ତ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆର ଅନ୍ୟତମ ବିଶିଷ୍ଟ ଖେଳାଳି ସେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଥିଲା ।

କୁଇନ୍ସଲ୍ୟାଣ୍ଡ ପୋଲିସ କହିଛି ଯେ, ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ସାଇମଣ୍ଡ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ଆଣ୍ଡ୍ରିୟୁ ସାଇମଣ୍ଡ୍‌ସ ତାଙ୍କ କ୍ରିକେଟ କ୍ୟାରିଅରରେ 2004ରୁ 2008 ଭିତରେ 26 ଟେଷ୍ଟ, 198 ଦିନିକିଆ ଏବଂ 12ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି । ଏହା ସହିତ ଅଷ୍ଟ୍ରେଲିଆକୁ 2003 ଓ 2007ରେ ବିଶ୍ବ କପ ଜିତିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।26ଟି ଟେଷ୍ଟ ଖେଳି ଦୁଇଥର ଶତକ ସହିତ 41 ଆଭରେଜ ସହ 1462 ରନ୍ ସ୍କୋର କରିଥିଲେ । ବୋଲର ଭାବେ ମଧ୍ୟ ସେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି ଓ ତାଙ୍କ ନାମରେ 24ଟି ୱିକେଟ ରହିଛି । ଆଇପିଏଲ୍‌ରେ ସେ ୩୯ଟି ମ୍ୟାଚ୍ ଖେଳି ୯୭୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି ।ସୀମିତ ଓଭର କ୍ରିକେଟର ସାଇମଣ୍ଡସଙ୍କ ପ୍ରଦର୍ଶନ ଦମଦାର ରହିଥିଲା । 198 ଦିନିକିଆ ଖେଳି 5088 ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ ଓ ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ରହିଥିଲେ । 2012ରେ କ୍ରିକେଟରୁ ଅବସର ନେଇଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ ।

୨୦୦୪ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ସାଇମଣ୍ଡସ । ୨୦୦୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ୍ ମ୍ୟାଚ୍‌ । ସେହିପରି ୧୯୯୮ରେ ସେ ପାକିସ୍ତାନ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ । ଆଉ ୨୦୦୯ରେ ପାକିସ୍ତାନ ବିପକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍ ମଧ୍ୟ ଖେଳିଥିଲେ ।

Related Posts