ଅନୁଗୋଳ ରଜଡଙ୍ଗ ୟୁପି ସ୍କୁଲରେ ଅଘଟଣ: ମଧ୍ୟାହ୍ନଭୋଜନ ଖାଇ ୧୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ୟୁପି ସ୍କୁଲରେ ଘଟିଛି ଅଘଟଣ। ମଧ୍ୟାହ୍ନଭୋଜନ ଖାଇ ୧୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି ।ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ବିଷୟରେ ଖବର ପାଇ ପାଲଲହଡ଼ା ବିଡ଼ିଓ ପୁରୁଷୋତ୍ତମ ବେହେରା ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ଡାକ୍ତରଖାନା ଯାଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ଆଜି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ସେମାନଙ୍କ ପେଟ କାଟିବା ସହ ମୁଣ୍ଡ ବୁଲାଇଥିଲା। ପରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିଭାବକମାନଙ୍କୁ ଖବର ଦେବା ସହ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନା ନେବା ବ୍ୟବସ୍ଥା କରିଥିଲେ। ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସମେତ ମଧ୍ୟାହ୍ନ ଭୋଜନ ଖାଇଥିବା ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଡାକ୍ତରଖାନା ନିଆଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସେମାନଙ୍କ ପେଟ ଖରାପ ହେବା ପୂର୍ବରୁ ଔଷଧ ମଧ୍ୟ ଦିଆଯାଇଛି।

ପ୍ରଥମ ଶ୍ରେଣୀରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସ୍କୁଲରେ ମୋଟ ୧୪୨ ଜଣ ପିଲା ପାଠ ପଢ଼ନ୍ତି। ୩ ଜଣ ଶିକ୍ଷକ ଏଠାରେ ନିଯୁକ୍ତ ଥିଲେ ହେଁ ଜଣେ ଟ୍ରେନିଂରେ ପାଲଲହଡ଼ା ଯାଇଥିବା ବେଳେ ଅନ୍ୟଜଣେ ଭୁବନେଶ୍ୱର ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ଯୋଗଦେବାକୁ ଯାଇଛନ୍ତି। ମାତ୍ର ଜଣେ ଶିକ୍ଷକ ସମସ୍ତ ଦାୟିତ୍ୱ ଦେଖୁଥିଲେ। ତେବେ ମଧ୍ୟାହ୍ନ ଭୋଜନରେ ବିଷକ୍ରିୟା ହେବା ନେଇ କୌଣସି ତଦନ୍ତ ରିପୋର୍ଟ କିମ୍ବା ଏ ବାବଦରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି

Related Posts