ପୂର୍ବ ଶତ୍ରୁତାକୁ ନେଇ ତାନ୍ତ୍ରିକଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ଯୁବକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକଙ୍କୁ ହାଣି ହତ୍ୟା କଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ଗ୍ରାମରେ। ଯୁବକଙ୍କ ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ତାନ୍ତ୍ରିକଙ୍କ ମୃତ୍ୟୁ ହୋଇଛି । ତେବେ ତାନ୍ତ୍ରିକଙ୍କୁ ହତ୍ୟା କରିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ । ତେବେ ତାନ୍ତ୍ରିକଙ୍କ ପ୍ରକୃତ ପରିଚୟ ମିଳିପାରି ନଥିବା ବେଳେ ତାଙ୍କୁ ହତ୍ୟା ଯୁବକ ଜଣକ ସେହି ଗ୍ରାମର ଶାନ୍ତନୁ ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ ଗତ କିଛିଦିନ ତଳେ ଶାନ୍ତନୁଙ୍କ ସ୍ତ୍ରୀର ଦେହ ଅସୁସ୍ଥ ହୋଇଥିଲା ।

ତେବେ ତାଙ୍କୁ କେହି ଗୁଣି କରିଥିବା ନେଇ ତାନ୍ତ୍ରିକ ଜଣକ ଶାନ୍ତନୁଙ୍କୁ କହିଥିଲେ । ପରେ ଏହାର ପ୍ରତିକାର କରି ତାଙ୍କ ସ୍ତ୍ରୀଙ୍କୁ ଭଲ କରିଦେବାକୁ ତାନ୍ତ୍ରିକ ଜଣକ ଶାନ୍ତନୁଙ୍କ ଠାରୁ କିଛି ଟଙ୍କା ନେଇଥିଲେ । ହେଲେ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହୋଇନଥିଲା । ଏହାକୁ ନେଇ ତାନ୍ତ୍ରିକ ଓ ଶାନ୍ତନୁଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ତେବେ ଆଜି ତାନ୍ତ୍ରିକ ଜଣକ ଗାଁକୁ ଆସିଥିବା ବେଳେ ଶାନ୍ତନୁଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ଏକ ଧାରୁଆ ଅସ୍ତ୍ରରେ ଶାନ୍ତନୁ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ପରେ ଶାନ୍ତନୁ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ସେପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ତଦନ୍ତ ପରେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡିବ ।

Related Posts