ଜମ୍ମୁ ଓ କଶ୍ମୀରରେ ପୁଣି ପ୍ରବାସୀଙ୍କ ଉପରେ ଗୁଳିମାଡ: ଦୁଇ ଶ୍ରମିକ ଗୁରୁତର

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ପ୍ରବାସୀଙ୍କ ଉପରେ ପୁଣି ଗୁଳିମାଡ ହୋଇଛି । ଅନନ୍ତନାଗ ଜିଲ୍ଲାର ବୋଣ୍ଡିଗାମଠାରେ ଏକ ଘରୋଇ ବିଦ୍ୟାଳୟରେ କାମ କରୁଥିବା ଦୁଇ ଜଣ ଅଣ-ସ୍ଥାନୀୟ ଲୋକଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି ।

କାଶ୍ମୀର ପୁଲିସର ସୂଚନା ଅନୁଯାୟୀ ଆକ୍ରମଣର ଶିକାର ହୋଇଥିବା ଦୁଇଜଣ ଯାକ ହେଉଛନ୍ତି ଶ୍ରମିକ । ସେମାନଙ୍କ ମଧ୍ୟରୁ ଜଣେ ବିହାରରୁ ଏବଂ ଅନ୍ୟ ଜଣେ ନେପାଳରୁ ବୋଲି ପୁଲିସ କହିଛି । ଗୁଳିମାଡ଼ରେ ଆହତ ହେବା ପରେ ସେମାନଙ୍କୁ ଅନନ୍ତନାଗର ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ଗତ ଅଗଷ୍ଟ ମାସରୁ ଅଣ-ସ୍ଥାନୀୟ ଲୋକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି । ଭାରତର ନିର୍ବାଚନ କମିସନଙ୍କ ଦ୍ବାରା ଜମ୍ମୁ ଓ କଶ୍ମୀରରେ ପ୍ରବାସୀମାନଙ୍କୁ ବି ଭୋଟଦାନ ଅଧିକାର ଦିଆଯିବା ପରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ପ୍ରବାସୀଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା ।

ଗତ ଅକ୍ଟୋବର ୧୮ରେ ଉତ୍ତର ପ୍ରଦେଶର ଦୁଇଜଣ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ । ସେହିପରି ଅକ୍ଟୋବର ୧୬ରେ ଦକ୍ଷିଣ କଶ୍ମୀରର କୁଲଗାଓଠାରେ ଆତଙ୍କବାଦୀମାନେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଥିଲେ ।

ଅକ୍ଟୋବର ୧୫ରେ ଆତଙ୍କବାଦୀମାନେ ବିହାରର ଜଣେ ଫେରିବାଲା ଓ ଉତ୍ତର ପ୍ରଦେଶର ଦୁଇଜଣ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଥିଲେ । ସେହିଦିନ ସୋପିଆଁରେ ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା ।

Related Posts