ଜମ୍ମୁକାଶ୍ମୀର(ସତ୍ୟପାଠବ୍ୟୁରୋ): ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ନେଇ ସୂଚନା ମିଳିଛି। ଏ ନେଇ ଏବେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଅଧିକ ସତର୍କ ହୋଇପଡ଼ିଛନ୍ତି । ଘାଟିରେ ପୁଣି ଏକ ବଡ଼ ଧରଣର ଆକ୍ରମଣର ଷଡ଼ଯନ୍ତ୍ର ରଚାଯାଉଥିବା ନେଇ ଗୁପ୍ତଚର ସୂଚନା ମିଳିବା ପରେ ଅନେକ ସମ୍ବେଦନଶୀଳ ଅଞ୍ଚଳ, ଆଡ୍ଡା ଏବଂ ରାସ୍ତାଗୁଡ଼ିକୁ ଚିହ୍ନଟ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ଏବଂ ବିଦେଶୀ ଆତଙ୍କବାଦୀଙ୍କ ଏକ ଛୋଟ ଗୋଷ୍ଠୀ ପୁଣି ସକ୍ରିୟ ହୋଇଥିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ।
ସୁରକ୍ଷା ବାହିନୀର ଜବାନମାନଙ୍କ ପାଇଁ ଏହି ଅବସରରେ ଏକ ନୂତନ ପରାମର୍ଶାବଳୀ ଜାରି କରାଯାଇଛି। ଏହା ସହିତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅନାବଶ୍ୟକ ଚଳପ୍ରଚଳ ଏବଂ ବ୍ୟକ୍ତିଗତ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି। ସୂତ୍ର ଅନୁଯାୟୀ, ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।
ଅନନ୍ତନାଗର ଲାଲ ଚୌକରେ ଅମରନାଥ ଯାତ୍ରା ସୁରକ୍ଷା ଦାୟିତ୍ୱରେ ଥିବା ହେଡ୍ କନଷ୍ଟେବଲ୍ ଆଶିକ୍ ହୁସେନ୍ କୁରେଶୀଙ୍କ ହତ୍ୟା ଏବଂ କୁଲଗାମରେ ଦୁଇଜଣ ଛତିଶଗଡ଼ର ଶ୍ରମିକଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଏହି ଆଶଙ୍କାକୁ ଅଧିକ ଦୃଢ଼ କରିଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଅନୁସାରେ, ଏହି ଆକ୍ରମଣ ପଛରେ ପୁରୁଣା ଆତଙ୍କବାଦୀ ମଡ୍ୟୁଲ୍ ସକ୍ରିୟ ଥିବା ଅନୁମାନ କରାଯାଉଛି, ଯାହାକୁ ନିପାତ କରିବା ପାଇଁ ସେନା ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
