ଅନଲାଇନ ଗେମ୍ ନେଲା ଆଉ ଜଣଙ୍କ ଜୀବନ: ଖେଳିବାକୁ ମା’ ମନା କରିବାରୁ ସୁଇସାଇଡ୍‌ ନୋଟ ଲେଖି ଟ୍ରେନ ଆଗକୁ ଡେଇଁଲା ନାବାଳକ ପୁଅ

ନୂଆଦିଲ୍ଲୀ : ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଜଣେ ୧୬ ବର୍ଷର ନାବାଳକ | ପାଠ କିମ୍ବା ପରୀକ୍ଷାରେ ଫେଲ୍‌ ହେବା ଯୋଗୁଁ ନୁହେଁ ବରଂ ଅନଲାଇନ ଗେମ୍ ଖେଳିବାକୁ ମା’ ମନା କରିବାରୁ ଏହି ଚରମ ନିଷ୍ପତି ନେଇଥିଲେ | ମୁମ୍ବାଇରୁ ଆସିଛି ଏହି ହୃଦୟବିଦାରକ ଘଟଣା |

ଘଟଣାରେ ମୁମ୍ବାଇର ବୋବଲି ଜିଆରପି ମାମଲା ଦାୟର କରି ଯାଞ୍ଚ ଆରମ୍ଭ କରିଛି।

ପୋଲିସ ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ୭ଟାରେ ଓମ ଭରତ ନାମକ ପିଲା ଘରେ ବସି ମୋବାଇଲରେ ଗେମ୍‌ କରିଥିଲା। ସେହିସମୟରେ ମା’ ଆସି ପିଲା ହାତରେ ମୋବାଇଲ ଫୋନ ଛଡାଇ ନେବା ପରେ ପଢିବାକୁ କହିଥିଲେ। ଏହା ପରେ ରାଗରେ ଆସି ଓମ ଭରତ ସୁଇସାଇଟ୍‌ ନୋଟ୍‌ ଲେଖି ଘରୁ କେଉଁଆଡେ ପଳାଇ ଯାଇଥିଲେ।

କିଛି ସମୟରେ ଓମଙ୍କ ମା’ ଆସି ଦେଖିବା ବେଳକୁ ଖଟ ଉପରେ ଚିଠି ପଡିଥିବା ଦେଖିବାକୁ ପାଇଥିଲେ। ଆଉ ସେଥିରେ ଲେଖାଥିଲା, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, ଏବେ କେବେ ବି ଆସିବିନି। ଚିଠିଟି ପାଇବା ପରେ ମା’ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଷ୍ଟେସନରେ ସୂଚନା ଦେଇଥିଲେ। ତା’ ପରେ ପୋଲିସ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲା। ପିଲାଟି ମଲାଡ ଏବଂ କାନ୍ଦିବଲ୍ଲୀ ଷ୍ଟେସନ ମଧ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ପୋଲିସକୁ ମିଳିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଓମ ଭରତଙ୍କ ଶବ ମିଳିଥିଲା।

Related Posts