13 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ । ଋଷ ସେନା ଲଗାତାର ଭାବେ ଆକ୍ରମଣ ଜାରି ରଖିଥିବା ବେଳେ, ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ ସେନା । ତେବେ ଋଷ ସେନା ଧୀରେ ଧୀରେ ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ କବଜା କୁ ନେବାରେ ଲାଗିଥିବା ବେଳେ, ଆଜି ପୁଣି ଖାରକିଭ ଠାରେ ଥିବା ଆଉ ଏକ ପାୱାର ପ୍ଲାଣ୍ଟକୁ କବଜାକୁ ନେଇଛି ।

ଶୁକ୍ରବାର ୟୁକ୍ରେନର ବୃହତମ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ରୁଷିଆ ସେନା କବଜାକୁ ନେଇଥିଲେ । ସେପଟେ ଇସ୍ରାଏଲ, ରୁଷିଆ ଓ ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରିବା ଆରମ୍ଭ କରିଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କିପରି ସମାପ୍ତ ହେବ ଏନେଇ ସବୁ ଦେଶ ଚାହିଁ ବସିଛନ୍ତି ।

ସେପଟେ ପ୍ରମୁଖ ସହର ଜାଇଡୋମିର ତୈଳ ଡିପୋ ଉପରେ ମିଜାଇଲ ମାଡ କରିଛନ୍ତି ରୁଷ ସେନା । ମିଜାଇଲ ମାଡରେ ତୈଳ ଡିପୋରେ ନିଆଁ ଲାଗିଯାଇଛି । ହୁତୁ ହୁତୁ ହୋଇ ଜଳୁଛି ଅଏଲ ଡିପୋ । ଆକାଶରୁ ଉଚ୍ଚ ପର୍ଯ୍ୟନ୍ତ ଉଠୁଛି ନିଆଁ । ଏଦୃଶ୍ୟ ଆସିଛି ୟୁକ୍ରେନର ଜାଇଡୋମିରରୁ ।

ଅନ୍ୟପଟେ ଏହି ଯୁଦ୍ଧ ମଝିରେ ଫାଶୀ ରହିଥିବା ସଧାରଣ ଲୋକଙ୍କ ଉଦ୍ଧାର ନିମନ୍ତେ ଋଷ ଆଜି ପୁଣି ଥରେ ୫ ସହରରେ ଅସ୍ତ୍ର ବିରତି ଘୋଷଣା କରିଛି ରୁଷ୍ । ଯୁଦ୍ଧ କେବେ ସରିବ କିଛି ଜଣାପଡ଼ୁନଥିବା ବେଳେ ୫ ସହର ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ରୁଷ୍ । କିଭ୍, ଖାରକିଭ୍, ମାରିୟିପୋଲ, ସୁମି ଓ ଚେର୍ନିହିଭ୍ ସହର ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଛି । ଏହି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି । ଫଳରେ ବିଦେଶୀ ନାଗରିକଙ୍କୁ ଯୁଦ୍ଧକ୍ଷେତ୍ରରୁ ଉଦ୍ଧାର ପାଇଁ ସମୟ ମିଳିବ ।