(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରୁ ହିଁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ଦିନ ୧୧ଟାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିରୋଧୀଙ୍କ ହୋ ହଲ୍ଲା ଯୋଗୁଁ ଗୃହକୁ ମୁଲତବି ରଖାଯାଇଛି। ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ବିରୋଧୀ କଂଗ୍ରେସ ପକ୍ଷରୁ ହୋ ହଲ୍ଲା କରାଯାଇଥିଲା। କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଲଗାଇଥିଲେ। ଫଳରେ ଦିନ ୧୨.୩୦ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଇଛି ।
ଆଜି ଅଧିବେଶନ ଆରମ୍ଭରୁ ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା । ଏ ସମ୍ପର୍କରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଲିଖିତ ଆକାରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ମୁଲତବି ପ୍ରସ୍ତାବରେ ସମାନ ପ୍ରସଙ୍ଗରେ ଆସିଥିବା କାରଣରୁ ବାଚସ୍ପତି ଏହାକୁ ଆଗ୍ରହ୍ୟ କରିଥିଲେ । ତେଣୁ କଂଗ୍ରେସ ପକ୍ଷରୁ ହଟ୍ଟଗୋଳ କରି ନାରାବାଜୀ ହୋଇଥିଲା। ଏହା ପରେ ଗୃହକୁ ୧୨.୩୦ ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ତେବେ ଦିନ ୧୨.୩୦ ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
