ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ୨ ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଗିରଫ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଧମକ ଦେଇ ବଟି ମାଗିବା ଅଭିଯୋଗରେ ଗିରଫ ହେଲେ ୨ୱେବପୋର୍ଟାଲ ସାମ୍ବାଦିକ । ମିଳିଥିବା ସୂଚନା ମୁତାବକ ଜଣେ ଶିକ୍ଷକଙ୍କୁ ଧମକ ଦେବା ଓ ତାଙ୍କ ଠାରୁ ବଟି ଆଦାୟ କରିବା ଅଭିଯୋଗରେ ନବରଙ୍ଗପୁରରେ ୨ ଜଣ ୱେବପୋର୍ଟାଲ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ୱେବପୋର୍ଟାଲ ସାମ୍ବାଦିକ ଫେରାର ଅଛନ୍ତି ।

ଏହି ଘଟଣା ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର। ମିଳିଥିବା ସୂଚନା ମୁତାବକ ଉମରକୋଟ ବ୍ଲକ ନାୟକଗୁଡାସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ଦିନ ସେହି ଗ୍ରାମର ଜଣେ ୧୦ ବର୍ଷର ନାବାଳକ ବିନା ଅନୁମତିରେ ସ୍କୁଲରେ ପ୍ରବେଶ କରିଥିଲେ ।  

କିନ୍ତୁ ସ୍କୁଲର ଶିକ୍ଷକ ପିଲାଙ୍କୁ ବାରଣ କରିବାରୁ ଉଭୟ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଅଭିଭାବକ ଜଣକ ତିନି ଜଣ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ଡାକିଥିଲେ । ତେବେ ଘଟଣାର ଖବର ପାଇ ଜିତେନ୍ଦ୍ର ଦାସ, ନିଗମ ସାହୁ ଏବଂ ଶଙ୍କର ତୁରୁକ ୩ ୱେବ ସାମ୍ବାଦିକ ବିଦ୍ୟାଳୟକୁ ଯାଇଥିଲେ ।  

ଶିକ୍ଷକଙ୍କ ବିରୋଧରେ ଖବର ପ୍ରକାଶ ନକରିବାକୁ ୫୦ ହଜାର ଟଙ୍କା ମାଗିଥିଲେ ତିନି ସାମ୍ବାଦିକ । ଭୟରେ ପ୍ରଧାନ ଶିକ୍ଷକ ଅନଲାଇନ୍ ଟ୍ରାନଜାକସନ କରି ୩୦ ହଜାର ଟଙ୍କା ଓ ନଗଦ ୫ ହଜାର ଟଙ୍କା ଦେଇଥିଲେ । ବାକି ୧୫ ହଜାର ଟଙ୍କା ନଦେଲେ ସ୍ଥିତି ଖରାପ କରିଦେବାକୁ ଶିକ୍ଷକଙ୍କୁ ଧମକ ଦେଇଥିଲେ ୱେବପୋର୍ଟାଲର ସାମ୍ବାଦିକମାନେ ।

ଏ ସମ୍ପର୍କରେ ଗତକାଲି ଥାନାରେ ଏହି ତିନି ଜଣ ସାମ୍ବାଦିକଙ୍କ ସମେତ ଅଭିଭାବକ କମଳ ବଞ୍ଜାରାଙ୍କ ନାମରେ ଏତଲା ଦେଇଥିଲେ । ଉମରକୋଟ ପୁଲିସ୍‌ ଘଟଣାର ତଦନ୍ତ କରି   ଜିତେନ୍ଦ୍ର ଦାସ ଏବଂ   ଶଙ୍କର ପ୍ରସାଦ ତୁରୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ତେବେ ଏଥିରେ ସମ୍ପୃକ୍ତ ଆଉ ଜଣେ ବ୍ୟକ୍ତି ନିଗମ ସାହୁ ଫେରାର ଥିବା ଜଣାପଡିଛି ।

Related Posts