ହିଜାବ ବିରୋଧୀ ଆନ୍ଦୋଳନ; ଆଉ ଜଣେ ଆନ୍ଦୋଳନକାରୀଙ୍କୁ ଫାଶୀ ଦେଲେ ଇରାନ ସରକାର

ଭୁବନେଶ୍ୱର,୧୨/୧୨ (ସତ୍ୟପାଠ ବ୍ୟୁରୋ): ଇରାନରେ ଜାରି ରହିଥିବା ହିଜାବ ବିରୋଧୀ ଆନ୍ଦୋଳନ ମଧ୍ୟରେ ଆଜି ଆଉ ଜଣେ ଆନ୍ଦୋଳନକାରୀଙ୍କୁ ଫାଶୀ ଦେଇଛନ୍ତି ଇରାନ ସରକାର । ଫାଶୀ ପାଇଥିବା ୨୪ ବର୍ଷୀୟ ଯୁବକଙ୍କ ନାଁ ହେଉଛି ମାଜିଦ୍ ରେଜା ରାହନାବାଡ୍ । ‘ଇଶ୍ବରଙ୍କ ବିରୋଧରେ ଯୁଦ୍ଧ’ ଅପରାଧ ପାଇଁ ତାଙ୍କୁ ମାସାଦ ସହରର ଏକ ସର୍ବସାଧାରଣ ସ୍ଥାନରେ ଫାଶୀ ଦିଆଯାଇଥିଲା । ତେବେ ଗତ ନଭେମ୍ବର ୨୯ ତାରିଖରେରେ ଏହି ଆନ୍ଦୋଳନକାରୀ ଯୁବକ ଜଣକ ଦୁଇ ଜଣ ସୁରକ୍ଷାବଳଙ୍କ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା ଏହାପରେ ତାଙ୍କୁ ଗିରଫ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଛି । ତାଙ୍କୁ ଫାଶୀ ଦିଆଯିବା ପରେ ତାଙ୍କ ପରିବାରକୁ ସୂଚୀତ କରାଯାଇଥିଲା । ତେବେ ଗତ ୮ ତାରିଖରେ ପ୍ରଥମ ଥର ପାଇଁ ଜଣେ ଆନ୍ଦୋଳନକାରୀ ମେହସିନ ସେକାରିଙ୍କୁ ଫାଶୀ ଦିଆଯାଇଥିଲା ।

ଇରାନ ସରକାର ଆଗାମୀ ଦିନରେ ଆଉ କିଛି ଆନ୍ଦୋଳନକାରୀଙ୍କୁ ଫାଶୀ ଦେବାର ସମ୍ଭାବନା ରହିଛି । ଏପର୍ଯ୍ୟନ୍ତ ଇରାନ ସରକାର ୬ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଏଣୁ ଆଗାମୀ ଦିନରେ ଆହୁରି କିଛି ଲୋକଙ୍କୁ ଫାଶୀ ଦିଆଯାଇପାରେ । ଇରାନ ସରକାରଙ୍କ ଏପରି ବର୍ବର କାଣ୍ଡକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି । କିନ୍ତୁ ଏହାକୁ ନିଜର ଅନ୍ତରୀଣ ମାମଲା ବୋଲି କହୁଛି ତେହେରାନ ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ମାସା ଅମିନିଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୪୮୮ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ବୋଲି ଇରାନୀୟ ମାନବାଧିକାର ସଂସ୍ଥା କହିଛି । ମୃତକଙ୍କ ମଧ୍ୟରେ ୬୦ ଜଣ ଶିଶୁ ଓ ୨୯ ଜଣ ମହିଳା ରହିଛନ୍ତି ।

Related Posts