ମେରେ ବଙ୍ଗଲେ ପେ ତୁମାରା କ୍ୟା କାମ୍ ହୈ

ସତ୍ୟପାଠ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦିଲ୍ଲୀ ବଙ୍ଗଳାରେ ଅଛି ଖାସ୍ ଜିନିଷ । ଯାହା ଅତ୍ୟନ୍ତ ସୌଖୀନ ଓ ଭାରୀ ମଧ୍ୟ । ଯାହାକୁ ସ୍ଥାନାନ୍ତରଣ କରିବା କଷ୍ଟକର ବ୍ୟାପାର । ୧୩ ମାସ ଲାଗିଲାଣି ତଥାପି ସେସବୁ ଜିନିଷକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଶେଷ ହେଉନି । ସ୍ଥାନାନ୍ତର ପାଇଁ ଆହୁରି କିଛିଦିନ ଲାଗିବ ବୋଲି ବୈଜୟନ୍ତ ବାବୁ କହିଛନ୍ତି । ବଙ୍ଗଳାରେ କଣ ଅଛି ତ ଆମେ ଜାଣିନୁ କିନ୍ତୁ ସେଭଳି କିଛି ଜିନିଷ ରହିଥିବା ବୈଜୟନ୍ତ ବାବୁ ନିଜେ ସ୍ୱୀକାର କରିଛନ୍ତି । କିନ୍ତୁ ବୈଜୟନ୍ତଙ୍କ କଥାରୁ ଲାଗୁଛି, ତାଙ୍କ ବଙ୍ଗଳାରେ କିଛି ଅମୂଲ୍ୟ ସମ୍ପଦ ରହି ଯାଇଛି, ଯାହା ସ୍ଥାନାନ୍ତରଣ କରିବା ଏକଦମ୍ କଠିନ ବ୍ୟାପାର ।

ବୈଜୟନ୍ତ ବାବୁ ସାଂସଦ ପଦରୁ ଇସ୍ତଫା ଦେବା ଏହା ଭିତରେ ୧୩ ମାସ ହୋଇଗଲାଣି । କିନ୍ତୁ ଏଯାଏଁ ଦିଲ୍ଲୀ ମହାବୀର ରୋଡରେ ରହୁଥିବା ସରକାରୀ ବାସଭବନ ଖାଲି କରି ନାହାଁନ୍ତି । ଏହାକୁ ନେଇ ଗୁରୁବାର ଟୁଇଟରରେ ପୋଷ୍ଟ କରିଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଲୋକସଭା ହାଉସ କମିଟି ତାଙ୍କୁ କ୍ୱାର୍ଟର ଅନୁଧ୍ୟାନ କରିବାକୁ କହିଥିଲେ କିନ୍ତୁ ସେ ସେହିଠାରେ ପହଂଚିବା ପରେ ତାଙ୍କୁ ସିକ୍ୟୁରିଟି ଗାର୍ଡ ଭିତରକୁ ଛାଡି ନଥିଲେ ।

ବୈଜୟନ୍ତଙ୍କୁ ବଙ୍ଗଳା ଛାଡିବା ପାଇଁ କେନ୍ଦ୍ର ମନ୍ତ୍ରଣାଳାୟ ନୋଟିସ୍ କଲାଣି କି ? ଯଦି କରିଛି ତେବେ ନୋଟିସର ଅବଧୀ ଓ ସର୍ତ୍ତ କଣ ରହିଛି ? ଯଦି ନୋଟିସର ଖିଲାପି କରିଛନ୍ତି ତେବେ ତାହା ଦେଖିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏଥିପାଇଁ ସରକାର ଆଇନ ଅଦାଲତର ସାହାରା ନେଇଛନ୍ତି ବା ନେବେ ତାହା ସରକାରଙ୍କ କାମ । କିନ୍ତୁ ଏ ଦିଗରେ ଅନୁଭବ ବେଶୀ ବ୍ୟସ୍ତ ବିବ୍ରତ ଜଣାପଡୁଛନ୍ତି । ଆଉ ଏକ କଥା ହେଲା, ବୈଜୟନ୍ତଙ୍କ ସ୍ପଷ୍ଟୀକରଣ ଅନୁଯାୟୀ ଯଦି ବଜାର ଦର ଦେଇକି ରଖିପାରିବେ ବୋଲି ମନ୍ତ୍ରଣାଳୟ କହିଛନ୍ତି ତା ପରେ ଅନୁଭବ ଏତେ ଚିନ୍ତିତ କାହିଁକି ?

ସରକାରୀ ସମ୍ପତ୍ତି ଠିକଠାକ୍ ବ୍ୟବହାର ହେଉଛି କି ନାହିଁ ତାହା ଦେଖିବା ପାଇଁ ଅନୁଭବ ଆଗ୍ରହ ଦେଖାଇଛନ୍ତି ଭଲକଥା କିନ୍ତୁ ତାହା କେବଳ ନିଜ ରାଜନୈତିକ ପ୍ରତିଦ୍ୱନ୍ଦୀ ବୈଜୟନ୍ତଙ୍କ ପାଇଁ ନା ସମସ୍ତଙ୍କ ପାଇଁ ତାହା ବି ଏବେ ଚର୍ଚ୍ଚା ହେଉଛି । ନା କୁହାଯାଇପାରେ, ଏହା ବୈଜୟନ୍ତଙ୍କ ବିରୋଧରେ ରାଜନୈତିକ ଆକ୍ରୋଶର ପ୍ରତିଫଳନ । ବଙ୍ଗଳା ତ କେବଳ ବାହାନା ।

ଦୁଇଟି ପୋଷ୍ଟରେ ବୈଜୟନ୍ତଙ୍କ ନୀତି ନୈତିକତା ନିୟମ ବାବଦରେ ବେଶ୍ ଚାରିପଦ ବୁଝାଇଥିଲେ ଅନୁଭବ । ଯାହାର ଜବାବ ରଖିଛନ୍ତି ବୈଜୟନ୍ତ ପଣ୍ଡା । ବୈଜୟନ୍ତ କହିଛନ୍ତି, ବଜାର ଦର ଅନୁସାରେ ଭଡାଦେଇ ସେ କ୍ୱାର୍ଟରକୁ ବ୍ୟବହାର କରିବାକୁ ଅନୁମତି ପାଇଛନ୍ତି । କ୍ୱାର୍ଟରରେ ଥିବା ଅନେକ ଜିନିଷକୁ ସେ ନେଇଯାଇଛନ୍ତି । କିନ୍ତୁ ଘରେ ଥିବା ବଡ ବଡ ଜିନିଷକୁ ଅନ୍ୟତ୍ର ନିଆଯାଇପାରୁନାହିଁ । ଏ ନେଇ ବିଳମ୍ବ ହୋଇଛି । ବ୍ୟକ୍ତିଗତ ଭାବେ ସେ କିଛି ଜିନିଷ କ୍ୱାର୍ଟରରେ ରଖିଥିଲେ । କିନ୍ତୁ ସଂପୃକ୍ତ ଅଂଚଳରେ ବ୍ୟବସାୟିକ ଗାଡି ବ୍ୟବହାର କରିବା ପାଇଁ କିଛି ପ୍ରତିବନ୍ଧକ ରହିଥିବାରୁ ଏସବୁକୁ ସ୍ଥାନାନ୍ତର କରିବାରେ ସମସ୍ୟା ହେଉଛି । ତଥାପି ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲିଛି । କିଛି ଦିନ ସମୟ ବଢାଇବାକୁ ସେ ଅନୁରୋଧ କରିଛନ୍ତି ।

କଥା ଉଠୁଛି, ବୈଜୟନ୍ତଙ୍କ ବଙ୍ଗଳାରେ ଏମିତି କଣ ଅମୂଲ୍ୟ ଜିନିଷ ରହିଛି ଯେ, ତାହାକୁ ସ୍ଥାନାନ୍ତର କରିବାକୁ ୧୩ ମାସ ବି ଅଣ୍ଟିଲାନି । ପଣ୍ଡାବାବୁ ତାଙ୍କ ସରକାରୀ ବାସଭବନରେ କଣ ଖାସ୍ ଜିନିଷ ରଖିଛନ୍ତି ଯାହା ସେ ଘରୁ ନିଆଯାଇ ପାରୁନାହିଁ ଓ ବଜାର ଦର ଅନୁସାରେ ଭଡା ଦେଇ ବଙ୍ଗଳାକୁ ନିଜ ଅକ୍ତିଆରରେ ରଖିଛନ୍ତି ବୈଜୟନ୍ତ ପଣ୍ଡା ।

Related Posts