ଆଜି ବାହୁଡ଼ା ଯାତ୍ରା

ସତ୍ୟପାଠ ବ୍ୟୁରୋ :  ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ । ରତ୍ନବେଦୀରୁ ଜନ୍ମବେଦୀକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି । ଏହି ବାହୁଡ଼ା ଯାତ୍ରା ପାଇଁ ଭକ୍ତମାନେ ସତୃଷ୍ଣ ନୟନରେ ଚାହିଁ ବସିଥିବାବେଳେ ଲୋକଙ୍କ ଭିଡ଼କୁ ଆଖିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ଚକଡ଼ାରେ ତିନି ରଥ ଲାଗିବା ପରେ ଶନିବାର ରଥ ଉପରେ ମହାବାହୁଙ୍କ ସୁନାବେଶ ଓ ଅଧରପଣା ନୀତି ସଂପନ୍ନ ହେବ ଏବଂ ଆସନ୍ତା ୧୫ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ନୀଳକନ୍ଦରକୁ ବିଜେ କରିବେ ।

ହରିଶୟନ ଏକାଦଶୀ ତଥା ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ମଧ୍ୟାହ୍ନ ୧୨ରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ ସୁଦ୍ଧା ଶେଷ ହେବ ବୋଲି ନୀତି ଚୂଡ଼ାନ୍ତ ହୋଇଛି । ସେହିଭଳି ରଥଟଣା ପାଇଁ ଅପରାହ୍ନ ୪ଟାରେ ନୀତି ନିର୍ଘଣ୍ଟ କରାଯାଇଛି । ଅବଶ୍ୟ ନୀତି ସଅଳ ହେଲେ ଏହା ପୂର୍ବରୁ ମଧ୍ୟ ରଥଟଣା ‌ଯାଇପାରେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲି ସିଂହଦ୍ବାର ଚକଡ଼ାରେ ତିନି ରଥ ଲାଗିବା ପରେ ୧୩ ତାରିଖ ଦିନ ଦ୍ବାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ବଡ଼ ଚଢ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ସୁନାବେଶ ପରଦିନ ଅର୍ଥାତ ୧୪ ତାରିଖରେ ଅଧରପଣା ନୀତି ସଂପନ୍ନ ହେବ ।

Related Posts