ଅନୁଭବ ଯାହା ଅନୁଭବ କଲେ ତାହା ଲେଖିଛନ୍ତି

ସତ୍ୟପାଠ ବ୍ୟୁରୋ : କେନ୍ଦ୍ରାପଡା ଡାକ୍ତରଖାନାରେ କେମିତି ଚାଲିଛି ସ୍ୱାସ୍ଥ୍ୟସେବା । ସରକାରୀ ଯୋଜନା ରୋଗୀ ପାଉଛନ୍ତି କି ନାହିଁ ତାହାର ରିଅଲିଟି ଚେକ୍ କରିଥିଲେ କେନ୍ଦ୍ରାପଡାରୁ ଜିତିଥିବା ବିଜେଡି ସାଂସଦ ଅନୁଭବ ମହାନ୍ତି । ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଡାକ୍ତରଖାନା ବୁଲୁଥିବା ବେଳେ ଚିକିତ୍ସା ନାଁରେ କିଛି ଜଣ ରୋଗୀଙ୍କ ଠାରୁ ଟଙ୍କା ଦାବି କରୁଥିବା ଅନୁଭବଙ୍କ ନଜରକୁ ଆସିଥିବା ସାଂସଦ ଶ୍ରୀ ମହାନ୍ତି ଟୁଇଟ କରିଛନ୍ତି । ଏନେଇ ସେ ତାଗିଦ କରିଥିବା ବି ଲେଖିଛନ୍ତି । ସାଂସଦଙ୍କର ଏହି ଟୁଇଟ ପରେ ଆରମ୍ଭ ହୋଇଛି ତର୍କ । ସରକାରୀ ଦଳର ସାଂସଦ ନିଜ ନିର୍ବାଚନ ମଣ୍ଡଳୀର ଏହି ବାସ୍ତବ ଚିତ୍ର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖରେ ପହଂଚାଇବେ କି ବୋଲି ପ୍ରଶ୍ନ ଉଠିଛି ।

ରାଜ୍ୟର ସ୍ୱାସ୍ଥ୍ୟସେବାର ସ୍ୱାସ୍ଥ୍ୟ ଖରାପ ଥିବା ଅଭିଯୋଗ କରନ୍ତି ବିରୋଧୀ । କିନ୍ତୁ ଏହାକୁ ଖଣ୍ଡନ କରନ୍ତି ସରକାର । କିନ୍ତୁ ସରକାରୀ ଦଳର ଜଣେ ସାଂସଦ ଟୁଇଟ କରି ବାସ୍ତବତା ବୁଝାଇବା ପରେ ଏଭଳି ପ୍ରଶ୍ନ ଉଠିବା ବି ସ୍ୱାଭାବିକ । ସରକାର ୫-ଟି ଉପରେ ଗୁରୁତ୍ୱ ଦେଉଥିବା ବେଳେ ଅନୁଭବଙ୍କ ଟୁଇଟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କିନ୍ତୁ କଥା ହେଉଛି, ଏନେଇ ସେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବେ କି ନାହିଁ । ଏହି ଗସ୍ତ ବେଳେ ରୋଗୀ ସେବା ଠିକ ଥିବା ସହ ସେ ସନ୍ତୁଷ୍ଟ ଥିବା ରି-ଟୁଇଟ କରିଛନ୍ତି କିନ୍ତୁ ମୂଳ ଘଟଣାରେ ପଦକ୍ଷେପ ନେବା ବାବଦରେ କିଛି ସୂଚନା ଦେଇ ନାହାଁନ୍ତି ।

ସ୍ୱଚ୍ଛ ପ୍ରଶାସନର ଦ୍ୱାହି ଦେଉଛି ବିଜେଡି ସରକାର । ୫-ଟିର ଦାୟିତ୍ୱ ଜଣେ ଦକ୍ଷ ପ୍ରଶାସକଙ୍କ ମୁଣ୍ଡରେ । ସବୁର ଟିକିନିଖି ତଦାରଖ କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ପ୍ରତି କଥାରେ ଆକ୍ସନ ରିଆକ୍ସନର କଥା କହୁଥିବା ସ୍ୱାସ୍ଥ୍ୟମନ୍ତ୍ରୀ ବି ସଜାଗ ଥିବା କୁହନ୍ତି । ତେବେ ଦେଖାଯାଉ, ବିଜେଡି ସାଂସଦଙ୍କର ଏହି ଟୁଇଟ ପରେ ବିଜେଡି ସରକାର କି ପଦକ୍ଷେପ ନେଉଛି ।

Related Posts