ଓଡିଆ ପୁଅକୁ ଶୁଣୁଛି ଦିଲ୍ଲୀ : ପଢ଼ନ୍ତୁ ଦିନ ମଜୁରିଆରୁ ଦିଲ୍ଲୀ ଯାତ୍ରାର ସଫଳ କାହାଣୀ

ସତ୍ୟପାଠ ବ୍ୟୁରୋ : ଦିନେ ଦିନ ମଜୁରିଆ ଭାବେ ପେଟ ପୋଷୁଥିବା ଏକ ଦଳିତ ଆଦିବାସୀ ଓଡିଆ ପିଲା ଉପରେ ଏବେ ସାରା ଦେଶର ନଜର । ଜାତୀୟ , ଆନ୍ତର୍ଜାତୀୟ ଗଣମାଧ୍ୟମର ଫୋକସ୍ ପଏଣ୍ଟରେ ସେ । କାରଣ ସେ ଲଢ଼ୁଛି ଛାତ୍ର ସଂସଦ ନିର୍ବାଚନରେ । ଏମିତି ସେମିତି ନୁହେଁ, ଦିଲ୍ଲୀ ଜେଏନୟୁରେ ଲଢ଼ୁଛି କଳାହାଣ୍ଡି ମାଟିର ପୁଅ ।

କଳାହାଣ୍ଡି ପୁରୁକେଲାର ଜିତେନ୍ଦ୍ର ସୁନା । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ମା’ଙ୍କୁ ହରାଇଥିଲେ । ଦିନ ମଜୁରିଆ ବାପାଙ୍କ ସହ ମିଶି ପେଟକୁ ଦାନା ଯୋଗାଡ କରିବା ଭିତରେ ବି ଯୁକ୍ତ ଦୁଇ ପାସ୍ କରନ୍ତି ଜିତେନ୍ଦ୍ର । ଆଉ ୨୦୦୯ ପରିବାର ଚଳାଇବାକୁ ସେ ରୋଜଗାର ଆଶାରେ ଦିଲ୍ଲୀ ଯାଆନ୍ତି । କିନ୍ତୁ ଘରକୁ ଫେରି ଆସନ୍ତି । ପରର ମୂଲ ଲାଗନ୍ତି । ତା ସହ ବି ପଢ଼ନ୍ତି ପାଠ । ପୋଖରୀ ଖୋଳା ଠୁ ନେଇ ରାସ୍ତା ନିର୍ମାଣ ଯାଏ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଇବା ସହ ଗ୍ରାଜୁଏସନ ପାସ୍ କରନ୍ତି ଜିତେନ୍ଦ୍ର ସୁନା ।

ତେବେ ଜଣେ ବନ୍ଧୁଙ୍କ ପରାମର୍ଶରେ ଦିଲ୍ଲୀ ଜେଏନୟୁରେ ଏଣ୍ଟ୍ରାନ୍ସ ଦେଇ ନାମ ଲେଖାନ୍ତି ଜିତେନ୍ଦ୍ର । ଆଉ ଏବେ ସେଇ ଜେଏନୟୁର ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ଛାତ୍ର ସଂଗଠନ ବାପସା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ସୁନା । ପୁରା ଦିଲ୍ଲୀ ଶୁଣୁଛି ଓଡିଆ ପୁଅର ସ୍ୱର । ପୂର୍ବରୁ ବାମଗଡ ଥିବା ଜେଏନୟୁରେ ଏଥର ବାପସାର ବିଜୟ ବାନା ଉଡିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜିତେନ୍ଦ୍ର ସୁନା ।

Related Posts