ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକକୁ ଆସିଲେନି ଅନୁଭବ, ରାଜଶ୍ରୀ : ଦୁଇ ପ୍ରଭାତ, ସୌମେନ୍ଦ୍ର, ମୀନାକ୍ଷୀ ବି ଅନୁପସ୍ଥିତ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବା ବେଳେ କଟକ ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ହୋଟେଲ୍ ଦ୍ବାରକାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଶେଷ କରି ପଂଚାୟତ ତଥା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ନିର୍ବାଚନକୁ ଆଖି ଆଗରେ ରଖି ଯୁବ ଓ ଛାତ୍ର ସଂଗଠନକୁ ଗୁରୁତ୍ବ, ସକ୍ରୀୟ ସଦସ୍ୟ ସଂଗ୍ରହ ଅଭିଯାନ ଏବଂ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା କାର୍ଡ ସଂପର୍କିତ ତଥ୍ୟ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ଵୈଠକରେ ଆଲୋଚନା ହୋଇଥିଲା। 

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ କିନ୍ତୁ ବୈଠକରେ ଯୋଗ ଦେଇ ନଥିଲେ। କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ଦୁଇଟି ବିଧାନସଭା ଆସନ କଟକ ଜିଲ୍ଲାରେ ଅଧୀନରେ ଆସୁଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଗୋଟିଏ ବିଧାନସଭା ଆସନ କଟକ ଜିଲ୍ଲାରେ ଆସୁଛି। ତେଣୁ ସାସଂଦ ଅନୁଭବ ମହାନ୍ତି ଏବଂ ରାଜଶ୍ରୀ ମଲ୍ଲିକଙ୍କୁ ବୈଠକକୁ ଡକାଯାଇଥିଲା। ସୂଚନା ଥାଉକି  ଅନୁଭବ ମହାନ୍ତି ଦ୍ବାରକା ହୋଟେଲରେ ଆୟୋଜିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ସାଂଗଠନିକ ବୈଠକକୁ ବି ଆସି ନଥିଲେ।

ତେବେ କଟକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଅନୁଭବ ଓ ରାଜଶ୍ରୀଙ୍କ ଅନୁପସ୍ଥିତି ଯେତିକି ପ୍ରାସଙ୍ଗିକ ନଥିଲା ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ ଏବଂ ପୂର୍ବତନ ମେୟର ମୀନାକ୍ଷୀ ବେହେରା ପ୍ରମୁଖଙ୍କ ଅନୁପସ୍ଥିତି । ବିଶେଷ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ତେବେ ପ୍ରଭାତ ତ୍ରିପାଠୀ ,ପ୍ରଭାତରଂଜନ ବିଶ୍ବାଳ, ସୌମେନ୍ଦ୍ର ଓ ମୀନାକ୍ଷିଙ୍କୁ ବୈଠକକୁ ଡକାଯାଇଥିଲା, ସେମାନେ ଆସିଲେନି ନା ସେମାନଙ୍କୁ ବୈଠକକୁ ଡକା ଯାଇ ନଥିଲା, ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ। 

ବୈଠକ ପୂର୍ବରୁ ସବୁ ନେତାଙ୍କ ପାଖକୁ ଦୁଇଟି ଏକାଭଳି ଚିଠି ପଠା ଯାଇଥିଲା। ଗୋଟିଏ ଚିଠି ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ ଓ ଅନ୍ୟଟି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ସ୍ବାକ୍ଷରରେ ଯାଇଥିଲା। ଦୁଇ ଦୁଇଟି ଚିଠି ପଠାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବୈଠକରେ ଅନୁପସ୍ଥିତ ଥିବା ନେତା ମାନେ ଦୁଇଟି ଯାକ ଚିଠି ପାଇ ନଥିଲେ ନା ଗୋଟିଏ ଚିଠି ପାଇଥିବାରୁ ବୈଠକକୁ ଆସିବାକୁ ଉଚିତ ମନେ କରି ନଥିଲେ। ରାଜନୈତିକ ମହଲରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଦଳର ଏଭଳି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ବସୁଥିବା ବେଳେ ଏହି ନେତା ମାନଙ୍କର ପ୍ରଭାବ ଦୃଷ୍ଟିରୁ ବୈଠକରେ ଗୁରୁତ୍ବ ପାଇବା କଥା। କିନ୍ତୁ ଏହି ୪ ନେତା/ନେତ୍ରୀଙ୍କ ଜିଲ୍ଲା କାର୍ଯ୍ୟକାରୀଣି ବୈଠକରେ ଅନୁପସ୍ଥିତି ରହିବା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। 

ସୂଚନାଯୋଗ୍ୟ ଯେ, ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ, ମନ୍ତ୍ରୀ ପ୍ରତ‌ାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ସୁବାସ ସିଂହ, ବିଧାୟକ ଦେବୀପ୍ରସାଦ ମିଶ୍ର, ଡାକ୍ତର ପ୍ରମୋଦ ମଲ୍ଲିକ, ଚନ୍ଦ୍ରସାରଥି ବେହେରା, ପ୍ରଶାନ୍ତ ବେହେରା, ଦେବୀରଂଜନ ତ୍ରିପାଠୀ, ସୌଭିକ ବିଶ୍ବାଳ ଏବଂ ଦଳର ଅନ୍ୟ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

Related Posts