ଆପାର୍ଟମେଣ୍ଟ ମାଲିକାନା ମାମଲା; ଖୁବଶୀଘ୍ର ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ ଆଇନ ଲାଗୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ଓଡ଼ିଶା ଆପାର୍ଟମେଣ୍ଟ ଓନର୍‌ସିପ୍ ଆଇନ। ଏହି ଆଇନ ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ଆଇନ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ବୋଲି ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଛି। ମଙ୍ଗଳବାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଛି ଯେ ସେପ୍ଟେମ୍ବର ୧୨ ତାରିଖରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ରିଅଲ ଇଷ୍ଟେଟ (ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ) ଆମେଣ୍ଡମେଣ୍ଟ ରୁଲ୍ସ, ୨୦୨୨କୁ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରି ଏହି ନୂଆ ନିୟମାବଳୀ ପ୍ରଣୟନ କରାଯାଇଛି। ଆପର୍ଟମେଣ୍ଟ ବିକ୍ରି ପାଇଁ ଚୁକ୍ତିନାମା ଲାଗି ନୂଆ ମଡେଲ ଚୁକ୍ତିନାମା ପ୍ରସଙ୍ଗରେ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଇତିମଧ୍ୟରେ ଆପର୍ଟମେଣ୍ଟ କିଣୁଥିବା ବ୍ୟକ୍ତିଙ୍କ ଆସୋସିଏସନର ବାଏ ଲ, କବଲାର ଡ୍ରାଫ୍ଟ ଫର୍ମାଟ ପ୍ରସ୍ତୁତ କରାଯାଇ ନଗର ଉନ୍ନୟନ ବିଭାଗ ତରଫରୁ ଓରେରା (ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି) ନିକଟକୁ ପଠାଯାଇଛି। ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ (ଆଇଜିଆର)ଙ୍କ ସହ ସମନ୍ବୟ ରକ୍ଷା କରି ଓରେରା ଏହି ପ୍ରସଂଗରେ ବିଜ୍ଞପ୍ତି ପ୍ରକାଶ କରିବ। ଏଥିସହିତ ନୂଆ ଆପାର୍ଟମେଣ୍ଟ ଓରନସିପ ଆଇନ ପ୍ରସ୍ତୁତ କରାଯାଉଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ନୂଆ ସଂଶୋଧିତ ଆଇନ ଯଥାଶୀଘ୍ର ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ସରକାରଙ୍କ କହିବା ଅନୁସାରେ ସାନି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ମଡେଲ ଆପାର୍ଟମେଣ୍ଟ ବିକ୍ରି ଚୁକ୍ତିନାମା ଆଧାରରେ ପ୍ରସ୍ତୁତ ଚୁକ୍ତିନାମା ପଞ୍ଜୀକରଣ ପାଇଁ ହାଇକୋର୍ଟ କହିଛନ୍ତି। ତେବେ ଆପାର୍ଟମେଣ୍ଟ ସଂପୂର୍ଣ୍ଣ ହେବା କେଉଁ ଅର୍ଥରେ ବିବେଚନା କରାଯିବ ସେ ନେଇ ଆଇଜିଆର ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରେରା ସହ ପରାମର୍ଶ କରି ଆଇଜିଆର୍ ଏପରି ସତ୍ୟପାଠ ଦାଖଲ କରିବେ।

ଅନ୍ୟପଟେ, ମଙ୍ଗଳବାର ଦିନ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି। ଏହା ସହିତ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ହାଇକୋର୍ଟ ଏହି ସତ୍ୟପାଠକୁ ଗ୍ରହଣ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୪କୁ ଧାର୍ଯ୍ୟ କରାଯାଇଛି। ପ୍ରତାପ କୁମାର ରାଉତ, ବିମଳେନ୍ଦୁ ପ୍ରଧାନ, ଏସ.ମିଶ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଏକତ୍ର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Related Posts