ଆପର ଏମସିଡ଼ି ବିଜୟ ଖୁସିକୁ ଫିକା କରିଦେଲା ଗୁଜୁରାଟ ଓ ହିମାଚଳ ଫଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ଦିଲ୍ଲୀ ମହାନଗର ନିଗମ (ଏମସିଡ଼ି) ନିର୍ବାଚନ ଫଳାଫଳ ଆସିବା ପରେ ସବୁଠାରୁ ଅଧିକ ଖୁସି ଆମ ଆଦମୀ ପାର୍ଟି ଶିବିରରେ ଦେଖିବାକୁ ମିଳିଥିଲା । କାରଣ ଏଠାରେ ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ଥିବା ବିଜପିକୁ ହଟାଇ ଦଳ କ୍ଷମତାକୁ ଆସିଥିଲା । ଏଥିପାଇଁ ଦଳ ପକ୍ଷରୁ ଜୋରଦାର ସେଲିବ୍ରେସନ କରାଯାଇ ଥିବାବେଳେ ଆଜି ଆସୁଥିବା ଦୁଇଟି ରାଜ୍ୟର ବିଧାନସଭା ଫଳକୁ ନେଇ ଦଳ ଖୁବ ଆଶାବାଦୀ ଥିଲା । କାରଣ ଉଭୟ ଗୁଜୁରାଟ ଓ ହିମାଚଳରେ ଦଳ ପ୍ରଥମ କରି ଲଢେଇ କରୁଥିବାବେଳେ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ଲଗାଇ ଦେଇଥିଲା । ହେଲେ ଆଜି ସକାଳୁ ଉଭୟ ରାଜ୍ୟରେ ଏଭିଏମ ଖୋଲିଥିବାବେଳେ ଦଳକୁ ଆଶାନୁରୂପ ଫଳ ମିଳିନାହିଁ ।

ଗୁଜରାଟ ଓ ହିମାଚଳ ପ୍ରଦେଶରେ ଅସ୍ଥିତ୍ବ ଜାହିର କରିବାକୁ ଉଦ୍ୟମ କରିଥିବା ‘ଆମ୍‌ ଆଦ୍‌ମି ପାର୍ଟି’ ଭୀଷଣ ପରାଜୟର ସମ୍ମୁଖୀନ ହୋଇଥିବା କଥା ଆଜି ଉଭୟ ରାଜ୍ୟରେ ଚାଲିଥିବା ଭୋଟ୍‌ ଗଣନାର ପ୍ରାରମ୍ଭରୁ ଜଣାପଡ଼ିଛି। ସମ୍ପ୍ରତି ଗୁଜରାଟରେ ‘ଆପ୍’ ମାତ୍ର ୬ଟି ଆସନରେ ଅଗ୍ରଣୀ ଥିବା ବେଳେ ହିମାଚଳ ପ୍ରଦେଶରେ ଆଦୌ କୌଣସି ଆସନରେ ଅଗ୍ରଣୀ ନାହିଁ। ସଦ୍ୟତମ ଟ୍ରେଣ୍ଡ୍‌ ଅନୁସାରେ, ଗୁଜରାଟର ୧୮୨ ଆସନରୁ ଶାସକ ‘ବିଜେପି’ ୧୫୫ ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ୧୭, ‘ଆପ୍‌’ ୬ ଓ ଅନ୍ୟାନ୍ୟ ୪ଟି ଆସନରେ ଅଗ୍ରଣୀ ରହିଛନ୍ତି।

କିନ୍ତୁ, ହିମାଚଳ ପ୍ରଦେଶରେ ଏପର୍ଯ୍ୟନ୍ତ ‘ଆପ୍‌’ ଗୋଟିଏ ମାତ୍ର ଆସନରେ ଅଗ୍ରଣୀ ନ ଥିବା ବେଳେ ‘ବିଜେପି’ ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ଭୀଷଣ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଉଭୟ ରାଜ୍ୟରେ ‘ବିଜେପି’ କେତୋଟି ନୂଆ ରେକର୍ଡ ସ୍ଥାପନ କରିବାକୁ ଆଶା କରୁଛି।

ଏଥର ଗୁଜରାଟ ନିର୍ବାଚନରେ ବିଜୟ ହାସଲ କଲେ ଦେଶରେ ‘ବିଜେପି’ ହେବ ନିରବଚ୍ଛିନ୍ନ ଭାବେ ୭ଥର ବିଜୟ ହାସଲ କରିବାରେ ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ (ମାର୍କସ୍‌ବାଦୀ) ପରେ ଏକମାତ୍ର ଦଳ। ସୂଚନାଯୋଗ୍ୟ, ୧୯୭୭ରୁ ୨୦୧୧ ଯାଏଁ ୩୪ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କ୍ଷମତାରେ ଥିବା ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ (ମାର୍କସ୍‌ବାଦୀ) ମଧ୍ୟ ଲଗାତାର ୭ଟି ବିଧାନସଭାରେ ବିଜୟ ହାସଲ କରିଥିଲା।

ଅନ୍ୟ ପକ୍ଷରେ, ୧୯୮୫ ମସିହାରୁ ହିମାଚଳ ପ୍ରଦେଶରେ କୌଣସି ଦଳ କ୍ରମାଗତ ନିର୍ବାଚନରେ ବିଜୟୀ ହୋଇନାହାନ୍ତି। ଏହି ପାହାଡ଼ୀ ରାଜ୍ୟରେ ‘ବିଜେପି’ କ୍ଷମତା ବଜାୟ ରଖିଲେ ମଧ୍ୟ ନୂଆ ରେକର୍ଡ କରିବ।

Related Posts