ଏପ୍ରିଲ ୩ ରୁ ୧୫ ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର,୧/୪ (ସତ୍ୟପାଠ ବ୍ୟୁରୋ): ଆସନ୍ତା ଏପ୍ରିଲ ୩ ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ। ଏହି ମୂଲ୍ୟାୟନ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୫୬ ଟି କେନ୍ଦ୍ରରେ ଖାତା ଦେଖାର ବ୍ୟବସ୍ଥା କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ତ୍ରୁଟିଶୂନ୍ୟ ଭାବେ ମୂଲ୍ୟାୟନ ବ୍ୟବସ୍ଥା କରିଛି। ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଲୋଚନା କରିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଆଶ୍ଵସ୍ତି ଏସ୍ ସୂଚନା ଦେଇଛନ୍ତି।

ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟାରେ ପ୍ରାୟ ୧୩ ହଜାର ଶିକ୍ଷକ ନିୟୋଜିତ ହେବେ । ସେମାନଙ୍କ ମଧ୍ୟରୁ ୧୨ହଜାର ୪ଶହ ଖାତାଦେଖା ପାଇଁ ଓ ମୂଲ୍ୟାୟନ ପ୍ରକ୍ରିୟା ଯାଞ୍ଚ୍‌ ପାଇଁ ପୃଥକ ଭାବେ ଆଉ ୬ ଶହ ଶିକ୍ଷକ ରହିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୂଲ୍ୟାୟନ ବ୍ୟବସ୍ଥାରେ ୫୫ ଜଣ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍‌, ୫୫ କ୍ୟାମ୍ପ ଅଫିସର, ୨୨୦ କ୍ୟାମ୍ପସ୍‌ ଆସିଷ୍ଟାଣ୍ଟ୍‌ ଏବଂ ୧୬୫ ଜଣଙ୍କୁ କ୍ୟାମ୍ପ ଆଟେଣ୍ଡାଣ୍ଟ୍‌ ଭାବେ ନିୟୋଜିତ ହେବେ । ମୂଲ୍ୟାୟନ ପ୍ରକ୍ରିୟାରେ ନିୟୋଜିତ ଶିକ୍ଷକମାନେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ବୋର୍ଡର ୱେବ୍‌ସାଇଟ୍‌ରୁ ନିଯୁକ୍ତି ପତ୍ର ଡାଉନ୍‌ଲୋଡ୍‌ କରି ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ହେବେ । ଏହି ପ୍ରକ୍ରିୟାରେ ଯେପରି କୌଣସି ବିଭ୍ରାଟ ସୃଷ୍ଟି ନହୁଏ ସେଥିଲାଗି ବୋର୍ଡ ପକ୍ଷରୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୂଲ୍ୟାୟନରେ ଖିଲାପ କରୁଥିବା ଶିକ୍ଷକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଡିଇଓମାନଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

Related Posts