ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାର ଅନାଚାର ଓ ବ୍ୟଭିଚାରରେ ସୀମା ଟପିଲେଣି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପୃଥ୍ୱୀରାଜ । ଓଡିଶାରେ ବ୍ୟଭିଚାର, ଅନାଚାରକୁ ବିଜେପି ଆଦୌ ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ପୁରୀ ଜିଲ୍ଲା ନିମାପଡାର ତତ୍‌କାଳୀନ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ଠୋସ୍‌ ପ୍ରମାଣ ଥାଇ ମଧ୍ୟ ପୋଲିସ କାହିଁକି ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହିଁ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ସେକ୍ସ ସ୍କାଣ୍ଡାଲ, ଟଙ୍କା ଲୁଣ୍ଠନ ଓ ବ୍ଲାକ ମେଲିଙ୍ଗ୍‌ ଭଳି ଜଘନ୍ୟ ଅଭିଯୋଗ ଥିଲେ ମଧ୍ୟ କମିଶନରେଟ ପୋଲିସ କାହିଁକି ତାଙ୍କ ବିରୋଧରେ ଚାର୍ଜସିଟ୍‌ ନକରି ଘଣ୍ଟ ଘୋଡାଉଛନ୍ତି ବୋଲି ହରିଚନ୍ଦନ କହିଛନ୍ତି । ଘୁରିବୁଲୁଥିବା ଧର୍ମେନ୍ଦ୍ର ସାହୁଙ୍କ ଅଡିଓରେ ତାଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ପ୍ରତ୍ୟକ୍ଷ ପ୍ରମାଣ ମିଳୁଥିବାବେଳେ ପୁଲିସ କାହିିଁକି ଏହାକୁ ତଦନ୍ତ ପରିସରଭୁକ୍ତ କରୁନାହିଁ ବୋଲି ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ହରିଚନ୍ଦନ କହିଛନ୍ତି ଯେ, ଆସନ୍ତାକାଲିଠୁ ପୋଲିସର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ଲାଗି ବିଜେପି କମିଶନରେଟ ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଆନ୍ଦୋଳନ କରିବ । ନିର୍ଣ୍ଣାୟକ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବଳବତ୍ତର ରହିବ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଅର୍ଚ୍ଚନା ନାଗଙ୍କ ଘଟଣାରେ ଯେଉଁ ବଡ ବଡିଆ ନେତାମନ୍ତ୍ରୀମାନେ ସଂପୃକ୍ତ ଅଛନ୍ତି ତୁରନ୍ତ ତାଙ୍କ ନାମ ପ୍ରକାଶ କରି ବିହିତ ପଦକ୍ଷେପ ନିଅନ୍ତୁ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।