ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ଅର୍ଚ୍ଚନା ନାଗ ଗିରଫ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ତେବେ ଆଜି ତୃତୀୟ ଥର ପାଇଁ ଏହି ମାମଲାରେ ପ୍ରମୋଦ ଇଡି ରେ ହଜାର ହୋଇଛନ୍ତି। ପୂର୍ବଭଳି ଆଜି ମଧ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କୁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ତେବେ ଗତ ନଭେମ୍ବର ୨୯ ତାରିଖରେ ଇଡିରେ ହଜାର ହୋଇ ଗଣମାଧ୍ୟମକୁ ପ୍ରମୋଦ କହିଥିଲେ ଯେ, ‘ଅର୍ଚ୍ଚନା ନାଗ ମୋ ଘରେ ଭଡ଼ାରେ ରହୁଥିଲା।ସେ ମୋତେ ବ୍ଲାକମେଲ୍ କରୁଥିଲା।’
ସୂଚନା ଅନୁସାରେ, ୨୦୧୭ ମସିହାରେ ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ନାଗ ସାମ୍ରାଜ୍ୟର ଅନ୍ୟତମ ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ। ଅର୍ଚ୍ଚନା ଉପର ମହଲାରେ ରହୁଥିବା ବେଳେ ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ମହଲାରେ ରହୁଥିଲେ। ଅର୍ଚ୍ଚନା ଘର ଭଡ଼ା ଠିକ୍ ସମୟରେ ଦେଉନଥିବାରୁ ପ୍ରମୋଦଙ୍କର ସହ ତାଙ୍କର ଝଗଡ଼ା ହୋଇଥିଲା। ପ୍ରମୋଦ ଅସଦାଚରଣ କରିଥିବା ନେଇ ଅର୍ଚ୍ଚନା ଥାନାରେ ଅଭିଯୋଗ କରିଥିଲେ। ପ୍ରମୋଦ ମଧ୍ୟ ତାଙ୍କ ବିରୋଧର ଘର ଭଡ଼ାକୁ ନେଇ ପାଲଟା ଅଭିଯୋଗ କରିଥିଲା।
ପ୍ରମୋଦଙ୍କ ଘରେ ରହିବା ସମୟରେ ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା ଚିହ୍ନିଥିଲେ। ସ୍ୱାମୀ ଜଗବନ୍ଧୁଙ୍କ ସହ ମିଶି ଶ୍ରଦ୍ଧାଞ୍ଜଳିଙ୍କ ନଗ୍ନ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିଥିଲେ ଓ ନିଜ କଳା କଳାସାମ୍ରାଜ୍ୟ ଆଗକୁ ବଢ଼ାଇଥିଲେ।
ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ଗିରଫ ହେବା ପରେ ଆର୍ଥିକ କାରବାର ନେଇ ଛାନ୍ଭିନ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଧୀରେ ଧୀରେ ଅର୍ଚ୍ଚନା ନାଗ ସହିତ ଜଡିତ ଥିବା ସମସ୍ତ ଲୋକଙ୍କୁ ଡାକି ଜେରା କରୁଛି ଇଡି । ଏହାସହିତ ନିଜେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିଛି ଇଡି। ଆଉ ଏବେ ପୁଣି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ଇଡି । ଏହିକ୍ରମରେ ମଙ୍ଗଳବାର ଇଡିରେ ହାଜର ହୋଇଛନ୍ତି ପ୍ରମୋଦ ସ୍ୱାଇଁ ।